ନୂଆଦିଲ୍ଲୀ: ଗାଜାରେ ଶାନ୍ତି ପ୍ରତିଷ୍ଠା ଓ ପୁନଃନିର୍ମାଣ ପ୍ରକ୍ରିୟାକୁ ଗତି ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏହି ଉଦ୍ୟମର ଅଂଶ ଭାବେ ଗାଜା ପାଇଁ ଏକ ଶାନ୍ତି ବୋର୍ଡ ଗଠନ କରାଯାଇଛି, ଯାହାରେ ସାମିଲ ହେବାକୁ ଭାରତକୁ ଆମନ୍ତ୍ରଣ ଦିଆଯାଇଛି।
ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ବ୍ୟବସ୍ଥାରେ ଏକ ମୁଖ୍ୟ ଶାନ୍ତି ବୋର୍ଡ ରହିବ, ଯାହାର ଅଧ୍ୟକ୍ଷତା ରାଷ୍ଟ୍ରପତି ଟ୍ରମ୍ପ ନିଜେ କରିବେ। ଗାଜାରେ ଶାସନ ବ୍ୟବସ୍ଥା ସଞ୍ଚାଳନ ଓ ପୁନଃନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ପାଲେଷ୍ଟାଇନର ବୈଷୟିକ ବିଶେଷଜ୍ଞମାନଙ୍କ ଏକ କମିଟିକୁ ମଧ୍ୟ ଏଥିରେ ସାମିଲ କରାଯିବ।
ଏହା ସହିତ ଆଉ ଏକ ଦ୍ୱିତୀୟ କାର୍ଯ୍ୟକାରୀ ବୋର୍ଡ ଗଠିତ ହେବ, ଯାହା ପରାମର୍ଶଦାତା ଭୂମିକା ପାଳନ କରିବ। ପାକିସ୍ତାନ ମଧ୍ୟ ଗାଜା ଶାନ୍ତି ବୋର୍ଡରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପାଇଥିବା ଦାବି କରିଛି।
ଭାରତର ଇସ୍ରାଏଲ ଓ ପାଲେଷ୍ଟାଇନ—ଉଭୟ ଦେଶ ସହ ଐତିହାସିକ ଓ ସମତୋଳିତ ସମ୍ପର୍କ ରହିଛି। ଗାଜା ସଙ୍କଟ ଆରମ୍ଭ ହେବା ପରେ ଭାରତ ପ୍ରଥମ ଦେଶ ଭାବେ ଇଜିପ୍ଟ ମାଧ୍ୟମରେ ପାଲେଷ୍ଟାଇନକୁ ମାନବୀୟ ସହାୟତା ପଠାଇଥିଲା, ଯାହା ଆନ୍ତର୍ଜାତିକ ମହଳରେ ସ୍ୱୀକୃତି ପାଇଥିଲା।
ଅନ୍ୟପକ୍ଷରେ, ଗାଜାରେ ପାକିସ୍ତାନ କୌଣସି ପ୍ରକାର ଭୂମିକା ଗ୍ରହଣ କରିବାକୁ ଇସ୍ରାଏଲ ଗ୍ରହଣୀୟ ମନେ କରୁନାହିଁ ବୋଲି ଭାରତରେ ଅବସ୍ଥିତ ଇସ୍ରାଏଲ ରାଷ୍ଟ୍ରଦୂତ ରୁବେନ୍ ଅଜାର ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗାଜା ଶାନ୍ତି ବୋର୍ଡରେ ଭାରତର ସାମିଲ ହେବାକୁ ଆନ୍ତର୍ଜାତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।





