ସମ୍ବଲପୁର, ୧୮।୧: ଗଙ୍ଗାଧର ମୁକ୍ତ ମଞ୍ଚରେ ରବିବାର ଭବ୍ୟ ଆୟୋଜନ ମଧ୍ୟରେ ତୃତୀୟ ସମ୍ବଲପୁରୀ ଧନୁଯାତ୍ରାର ଉଦ୍ଘାଟନ ହୋଇଯାଇଛି। ସମ୍ବଲପୁରୀ ଧନୁଯାତ୍ରା କମିଟି ସଭାପତି ସଞ୍ଜୟ ବାବୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ବିଧାନସଭାରେ ବିରୋଧୀ ଦଳର ଉପନେତା ତଥା ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଉଦ୍ବୋଧନ ଦେଇ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ସମ୍ବଲପୁରୀ ଧନୁଯାତ୍ରା କେବଳ ଏକ ସାଂସ୍କୃତିକ ଉତ୍ସବ ନୁହେଁ, ବରଂ ଏହା ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ ସୁଦୃଢ଼ କରୁଥିବା ଏକ ଆନ୍ଦୋଳନ। ସମ୍ମାନୀତ ଅତିଥି କର୍ନେଲ ପ୍ରଭାତ ପଣ୍ଡା ମଧ୍ୟ ସମ୍ବଲପୁରୀ ଭାଷାରେ ଧନୁଯାତ୍ରା ପ୍ରଦର୍ଶନକୁ ଆଞ୍ଚଳିକ ସଂସ୍କୃତି ପାଇଁ ଗର୍ବର ବିଷୟ ବୋଲି ଉଲ୍ଲେଖ କରିଥିଲେ। ସାଧାରଣ ସମ୍ପାଦକ ଗୁଣରଞ୍ଜନ ସାଳିମା ଧନ୍ୟବାଦ ଅର୍ପଣ କରିଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ଶଶାଙ୍କ ଶେଖର ଦୁବେଙ୍କ କଣ୍ଠରେ ସମଲେଇ ବନ୍ଦନା ସହ। ପରେ ରାଜକୁମାର ବୋଷ, ଉମାଶଙ୍କର ଦାସ ଓ ପ୍ରକୃତି ପଣ୍ଡା ଭଜନ ପରିବେଷଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ଗୁରୁ କୃଷ୍ଣଚନ୍ଦ୍ର ବାଗ, ସହ-ସାଂସ୍କୃତିକ ସମ୍ପାଦକ ଯୋଗେଶ କୁମାର ନନ୍ଦ ଓ ଲଳିତ ବେବର୍ତ୍ତାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଭାରତୀ କଳା ପରିଷଦ, ସାନିକା ଡ୍ୟାନ୍ସ ଏକାଡେମୀ, ଏଆରପି ଡ୍ୟାନ୍ସ ଗ୍ରୁପ ଓ ଏମ୍ଜେ କଲଚରାଲ ଷ୍ଟୁଡିଓ ଡ୍ୟାନ୍ସ ଏକାଡେମୀର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ।
ସକାଳେ ଇଷ୍ଟଦେବୀ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସୁସଜ୍ଜିତ ଧନୁ ସହ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରେ ଧନୁଯାତ୍ରା ଆୟୋଜନସ୍ଥଳରେ ଧନୁ ସ୍ଥାପନ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ସହ-ସମ୍ପାଦକ ଦୁଷ୍ମନ୍ତ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଳ ସଂଯୋଜନା କରିଥିଲେ।
ସନ୍ଧ୍ୟାରେ ତୃତୀୟ ବର୍ଷର ସମ୍ବଲପୁରୀ ଧନୁଯାତ୍ରା ମଞ୍ଚସ୍ଥ ହୋଇଥିଲା। ପ୍ରଥମ ସନ୍ଧ୍ୟାରେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଲୀଳାନାଟକରେ କଂସ ଜନ୍ମ ରହସ୍ୟ, ମହାରାଜ ଉଗ୍ରସେନଙ୍କ ଗାଦିଚ୍ୟୁତି, କଂସଙ୍କ ରାଜ୍ୟାଭିଷେକ, ଦେବକୀ ବିବାହ ଓ ବସୁଦେବ–ଦେବକୀଙ୍କ ବନ୍ଦୀ ଜୀବନ ଆଦି ଦୃଶ୍ୟ ପରିବେଷଣ କରାଯାଇଥିଲା।
ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଧନୁଯାତ୍ରା ପାଇଁ ମ୍ୟୁନିସିପାଲିଟି ଛକ ସ୍ଥିତ ଗଙ୍ଗାଧର ମୁକ୍ତମଞ୍ଚକୁ କଂସ ବରବାର ଓ ଚାଉଁରପୁରକୁ ଗୋପପୁର ଭାବେ ସୁସଜ୍ଜିତ କରାଯାଇଛି। ଚଳିତ ବର୍ଷ କଂସ ଭୂମିକାରେ ଫଣିନ୍ଦ୍ର ପଣ୍ଡା ଅଭିନୟ କରୁଥିବା ବେଳେ, ନାଟ୍ୟ ରଚନା ଓ ନିର୍ଦ୍ଦେଶନାର ଦାୟିତ୍ୱ ବବଲୁ ବାଗ ନିଭାଉଛନ୍ତି।





