ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଜି ନୂଆଦିଲ୍ଲୀରେ ପୋଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ରାଡୋସ୍ଲାଭ୍‌ ସିକୋରସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଠକ ସମୟରେ ଉଭୟ ଦେଶର ସମ୍ପର୍କ ସହ ବେଶ୍ୱିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗକୁ ନେଇ ପୋଲାଣ୍ଡ ପକ୍ଷକୁ ସପ୍ଷ୍ଟ ସନ୍ଦେଶ ଦେଇଛନ୍ତି।

ଜୟଶଙ୍କର କହିଛନ୍ତି ଯେ, ଆତଙ୍କବାଦ ପ୍ରତି ଶୂନ୍ୟ-ସହନଶୀଳତା ନୀତି ଅନୁସରଣ କରିବା ସମୟର ଆବଶ୍ୟକତା। କୌଣସି ଦେଶ ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦୀ ଭିତ୍ତିଭୂମିକୁ ସୁଦୃଢ଼ କରିବା କିମ୍ବା ଏପରି କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଉଚିତ ନୁହେଁ ବୋଲି ସେ ଜୋର ଦେଇ କହିଥିଲେ।

କୂଟନୀତିକ ମହଳରେ ଜୟଶଙ୍କରଙ୍କ ଏହି ଟିପ୍ପଣୀକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି, କାରଣ ଗତବର୍ଷ ଅକ୍ଟୋବରରେ ସିକୋରସ୍କି ପାକିସ୍ତାନ ଗସ୍ତ କରିଥିବା ସମୟରେ ଉଭୟ ଦେଶ ମିଶି କାଶ୍ମୀର ପ୍ରସଙ୍ଗ ଉଠାଇ ଏକ ଯୁକ୍ତ ବିବୃତି ଜାରି କରିଥିଲେ।

ଦ୍ୱିପାକ୍ଷିକ ବୈଠକରେ ଖୋଲାମେଳା ଭାବେ ମତ ରଖି ଜୟଶଙ୍କର କହିଥିଲେ ଯେ, ପୋଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳ ସମ୍ପର୍କରେ ଭଲଭାବେ ପରିଚିତ ଏବଂ ସୀମାପାର ଆତଙ୍କବାଦ ଯେପରି ଦୀର୍ଘକାଳୀନ ବିପଦ ସୃଷ୍ଟି କରୁଛି, ସେଥିରେ ସଚେତନ। ଏପରି ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ସମସ୍ତ ଦେଶ ଦୃଢ଼ ଓ ଦାୟିତ୍ୱଶୀଳ ଅଭିଗମ ଗ୍ରହଣ କରିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।

ଜୟଶଙ୍କରଙ୍କ ଏହି ଟିପ୍ପଣୀ ପରେ ପୋଲାଣ୍ଡର ବିଦେଶ ମନ୍ତ୍ରୀ ସିକୋରସ୍କି ମଧ୍ୟ ସୀମାପାର ଆତଙ୍କବାଦକୁ ଦମନ କରିବା ଓ ଏହା ବିରୋଧରେ ଆନ୍ତର୍ଜାତୀୟ ସହଯୋଗକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।