ନୂଆଦିଲ୍ଲୀ: ଚଢ଼ା ଶୁଳ୍କ ପ୍ରସଙ୍ଗକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ତିକ୍ତତା ଦେଖାଦେଉଥିବା ସମୟରେ ଏହା ସମ୍ପର୍କିତ ଆଲୋଚନାକୁ ଗତି ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର ଏବଂ ଆମେରିକୀୟ ସିନେଟର ଷ୍ଟିଭ୍ ଡାଇନ୍ସଙ୍କୁ ସାକ୍ଷାତ କରିଛନ୍ତି। ଭାରତ-ଆମେରିକା ବାଣିଜ୍ୟ ରାଜିନାମାକୁ ନେଇ ଦୁଇ ପକ୍ଷ ମଧ୍ୟରେ ମୁଲଚାଲ ଜାରି ଥିବାରୁ ଏହି ସାକ୍ଷାତକୁ ଗୁରୁତ୍ବପୂର୍ଣ୍ଣ ଭାବେ ଦେଖାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିବାରୁ ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କରେ ଚାପ ସୃଷ୍ଟି ହୋଇଛି। ସାକ୍ଷାତ ପରେ ସୋସିଆଲ ମିଡିଆରେ ପୀୟୂଷ ଗୋୟଲ ଲେଖିଛନ୍ତି ଯେ, “ପୁଣିଥରେ ବନ୍ଧୁ ଷ୍ଟିଭ୍ ଡାଇନ୍ସ ଏବଂ ରାଷ୍ଟ୍ରଦୂତ ସର୍ଜିଓ ଗୋରଙ୍କୁ ସାକ୍ଷାତ କରି ଆନନ୍ଦିତ ହେଲି।” ଏହି ଭେଟଘାଟ ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ସହିତ ସମ୍ପୃକ୍ତ ବିଭିନ୍ନ ପ୍ରସଙ୍ଗରେ ମତବିନିମୟ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।
ସୂଚନାନୁଯାୟୀ, ରାଷ୍ଟ୍ରଦୂତ ସର୍ଜିଓ ଗୋର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ନିକଟ ସମ୍ପର୍କ ରଖୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗଣାଯାନ୍ତି। ଚଳିତ ମାସ ୧୨ ତାରିଖରେ ଭାରତ ଗସ୍ତକାଳୀନ ସେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ରାଜିନାମାକୁ ନେଇ ବ୍ୟାପକ ଆଲୋଚନା ଚାଲିଥିବା କଥା କହିଥିଲେ।
ଅନ୍ୟପଟେ, ରିପବ୍ଲିକାନ ସିନେଟର ଷ୍ଟିଭ୍ ଡାଇନ୍ସ ବାଣିଜ୍ୟ ଆଲୋଚନାରେ ‘ଡାଲି’ ପ୍ରସଙ୍ଗକୁ ସାମିଲ କରିବାକୁ ପ୍ରସ୍ତାବ ରଖିଛନ୍ତି। ତାଙ୍କ କହିବାନୁସାରେ, ଭାରତର ଡାଲି ବଜାରରେ ଆମେରିକୀୟ ଉତ୍ପାଦକମାନଙ୍କୁ ପ୍ରତିଯୋଗିତାର ସମାନ ସୁଯୋଗ ମିଳୁନାହିଁ ଏବଂ ଭାରତ ଲଗାଇଥିବା ଶୁଳ୍କକୁ ସେ ଅନୁଚିତ ବୋଲି ଅଭିହିତ କରିଛନ୍ତି।
ଡାଇନ୍ସ ଓ ଅନ୍ୟ ଜଣେ ସିନେଟର କେଭିନ କ୍ରାମର ଚଳିତ ମାସ ୧୬ ତାରିଖରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏକ ପତ୍ର ଲେଖି ଜଣାଇଥିଲେ ଯେ, ତାଙ୍କ ଅଞ୍ଚଳରେ ବିପୁଳ ପରିମାଣର ଡାଲି ଉତ୍ପାଦନ ହୁଏ। ଭାରତ ବିଶ୍ୱର ସର୍ବବୃହତ୍ ଡାଲି ଉପଭୋକ୍ତା ଦେଶ ହୋଇଥିବାବେଳେ ବିଶ୍ୱର ପ୍ରାୟ ୨୭ ପ୍ରତିଶତ ଡାଲି ଭାରତରେ ଉପଯୋଗ ହୁଏ। ଏହି ପରିପ୍ରେକ୍ଷିତରେ ବାଣିଜ୍ୟ ଆଲୋଚନା ସମୟରେ ଡାଲି ପ୍ରସଙ୍ଗରେ ଉଚିତ୍ ମୁଲଚାଲ କରିବାକୁ ଉଭୟ ସିନେଟର ଆମେରିକୀୟ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।





