ଭୁବନେଶ୍ୱର: ମହାନଦୀ ଉପରେ ହେଉଥିବା ଚରମ ଅବହେଳାକୁ ନେଇ ମହାନଦୀ ବଞ୍ଚାଓ ଆନ୍ଦୋଳନ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର, ଓଡ଼ିଶା–ଛତିଶଗଡ଼ ସରକାର ଏବଂ ମହାନଦୀ ଟ୍ରିବୁନାଲର କାର୍ଯ୍ୟକାରିତା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛି। ଛତିଶଗଡ଼ର କଲମା ବ୍ୟାରେଜ ତଳେ ବାଲିବନ୍ଧ କରି ମହାନଦୀର ପାଣି ଅଟକାଇ ରଖାଯାଇଥିବା ଘଟଣାକୁ ନେଇ ସଂଗଠନ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି।

ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ମହାନଦୀ କମିଟିର ଅଧ୍ୟକ୍ଷ ଓ ମହାନଦୀ ଟ୍ରିବୁନାଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ବାଲିବନ୍ଧ ତୁରନ୍ତ ଭାଙ୍ଗିବା ପାଇଁ ଦାବି ଜଣାଇଛି। କଲମା ବ୍ୟାରେଜ ତଳେ ବାଲିବନ୍ଧ ହୋଇ ମହାନଦୀ ପାଣି ଅଟକି ରହିଥିବା ବିଷୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ସଂଗଠନ ତୀବ୍ର ଭାବେ ନିନ୍ଦା କରିଛି।

ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଗିରିଜା ଦାସ ଓ ବିଜୟ ପରିଡ଼ା କହିଛନ୍ତି ଯେ, ଯଦି ୨୭ ତାରିଖ ପୂର୍ବରୁ ଛତିଶଗଡ଼ ସରକାର ବାଲିବନ୍ଧ ଭାଙ୍ଗିବା ପାଇଁ ପଦକ୍ଷେପ ନନେଉଛନ୍ତି, ତେବେ ସ୍ଥାନୀୟ ଜନସାଧାରଣଙ୍କୁ ସହ ନେଇ ଆନ୍ଦୋଳନ କଲମା ବ୍ୟାରେଜର ଗ୍ରାଉଣ୍ଡ ଜିରୋକୁ ଯାଇ ବେଆଇନ ବାଲିବନ୍ଧ ଭାଙ୍ଗିବାକୁ ବାଧ୍ୟ ହେବ।

ସାମ୍ବାଦିକ ସମ୍ମିଳନୀରେ ଟ୍ରିବୁନାଲର କାର୍ଯ୍ୟକାଳ ଆସନ୍ତା ଅପ୍ରେଲରେ ସମାପ୍ତ ହେବାକୁ ଥିବା ନେଇ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି। ଟ୍ରିବୁନାଲର କାର୍ଯ୍ୟକାଳ ବୃଦ୍ଧି ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାର ଲିଖିତ ପତ୍ର ନଦେବାକୁ ସଂଗଠନ ଦୁଇ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ବୋଲି ଅଭିହିତ କରିଛି।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ପ୍ରସ୍ତୁତ ବୋଲି କହିଥିଲେ ମଧ୍ୟ, ଯଦି ତ୍ୱରିତ ପଦକ୍ଷେପ ନନିଆଯାଏ, ତେବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ଶାଣିତ କରାଯିବ ବୋଲି ସଂଗଠନ ସଚେତନ କରିଛି।