ନୂଆଦିଲ୍ଲୀ: ଶୀଘ୍ର ଦିଲ୍ଲୀର ସୁପ୍ରିମକୋର୍ଟ ପରିସରର ରୂପରେଖାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଆଗାମୀ ଦିନରେ ସୁପ୍ରିମକୋର୍ଟ ଗେଟ୍‌ ଦେଇ ମେଟ୍ରୋ ଲାଇନ୍‌ ସଂଯୋଗ ହେବା ନେଇ ପ୍ରସ୍ତାବ ରଖାଯାଇଛି। ଏହାଦ୍ୱାରା ଓକିଲ, ମହକିଲ ଓ ସାଧାରଣ ଲୋକଙ୍କୁ କୋର୍ଟରେ ପହଞ୍ଚିବା ପାଇଁ ଗରମ, ଥଣ୍ଡା କିମ୍ବା ବର୍ଷା ଭଳି ପାଣିପାଗ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ଏହି ଭବିଷ୍ୟତମୁଖୀ ଭିତ୍ତିଭୂମି ଯୋଜନା ନେଇ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ପାଇଁ ଏକ ନିର୍ଦ୍ଦିଷ୍ଟ ମେଟ୍ରୋ ଲାଇନ୍‌ ପ୍ରସ୍ତାବିତ, ଯାହା ସିଧାସଳଖ କୋର୍ଟ ପରିସର ମାଧ୍ୟମରେ ଚାଲିବ। ଏହି ପ୍ରକଳ୍ପର ତଦାରଖ ଆଇନ ସଚିବ ନିଜେ କରୁଥିବା ସୂଚନା ମଧ୍ୟ ସିଜେଆଇ ଦେଇଛନ୍ତି। ପ୍ରକଳ୍ପ ପାଇଁ ବଜେଟ୍‌ର କୌଣସି ଅଭାବ ନଥିବା ସହ କାମ ଦ୍ରୁତ ଗତିରେ ଆଗେ ବଢ଼ୁଛି ବୋଲି ସେ କହିଛନ୍ତି।

ସମସ୍ତଙ୍କ ପାଇଁ ସୁବିଧାଜନକ ଯୋଜନା

ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଦେଶରେ ପାଣିପାଗ ସ୍ଥିତି ଦିନକୁ ଦିନ ଅଧିକ କଠିନ ହେଉଛି। ଏପରି ପରିସ୍ଥିତିରେ ଖରା କିମ୍ବା ବର୍ଷା ଦିନରେ କୋର୍ଟ ପହଞ୍ଚିବା ଲୋକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଯାଉଛି। ଏହି ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ମେଟ୍ରୋ କନେକ୍ଟିଭିଟିର ପ୍ରସ୍ତାବ ଦିଆଯାଇଛି।

ମେଟ୍ରୋ ପ୍ରଶାସନ ମଧ୍ୟ ସୁପ୍ରିମକୋର୍ଟର ଏହି ଯୋଜନାକୁ ପୂର୍ଣ୍ଣ ସହଯୋଗ କରୁଥିବା ସିଜେଆଇ କହିଛନ୍ତି। ଯଦି ଏହି ମେଟ୍ରୋ ଲାଇନ୍‌ କାର୍ଯ୍ୟକାରୀ ହୁଏ, ତେବେ ଲୋକେ କୌଣସି ଅସୁବିଧା ବିନା ସିଧାସଳଖ ସୁପ୍ରିମକୋର୍ଟରେ ପହଞ୍ଚିପାରିବେ। ଏହାଦ୍ୱାରା ସମୟ ବଞ୍ଚିବା ସହ ଥକାପଣ ମଧ୍ୟ କମିବ ବୋଲି ଆଶା କରାଯାଉଛି।