ଭୁବନେଶ୍ୱର, ୩୧।୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗ ସମ୍ପର୍କିତ ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହା ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ଓ ସେମାନଙ୍କ ପାଇଁ ପଦୋନ୍ନତି ସୁବିଧା ବିସ୍ତାର ପ୍ରସ୍ତାବକୁ ମନ୍ତ୍ରିମଣ୍ଡଳ ସ୍ୱୀକୃତି ଦେଇଛି।

ନିଷ୍ପତ୍ତି ଅନୁଯାୟୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ‘ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ’ ନାମରେ ଏକ ନୂତନ ସେବା ବ୍ୟବସ୍ଥା ଗଠନ କରାଯାଇଥିଲା। ଏହି ସେବା ବର୍ଗ ସମ୍ବନ୍ଧୀୟ ନିୟମାବଳୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅର୍ଥ ବିଭାଗ ଏବଂ ଆଇନ ବିଭାଗର ଅନୁମୋଦନ ପାଇବା ସହ ଓଡ଼ିଶା ଲୋକ ସେବା ଆୟୋଗର ସ୍ୱୀକୃତି ମଧ୍ୟ ଲାଭ କରିଛି। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିଛି।

ସରକାରଙ୍କ ମତାନୁସାରେ, ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଜିଲ୍ଲା ଓ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ୨୦୦୬ ମସିହାର ଓଡ଼ିଶା ସଂସ୍କୃତି ସେବା ନିୟମ ଅଧୀନରେ ଥିବା ସେବା ବର୍ଗକୁ ପୁନର୍ଗଠନ କରି ସେମାନଙ୍କୁ ଅଧିକ ପଦୋନ୍ନତି ସୁଯୋଗ ଦେବାକୁ ଆବଶ୍ୟକ ବୋଲି ମନେ କରାଯାଇଥିଲା।

ଏହି ପ୍ରସ୍ତାବକୁ ଆଜିର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିବା ସହ ସଂସ୍କୃତି ବିଭାଗର ପ୍ରଶାସନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି।