ବରେଲି: ଉତ୍ତର ପ୍ରଦେଶର ବରେଲିରେ ବିବାହର କେବଳ ଦୁଇ ମାସ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ପ୍ରଥମେ ଏହାକୁ ଆତ୍ମହତ୍ୟା ଭାବେ ଧରାଯାଇଥିବା ବେଳେ ପରବର୍ତ୍ତୀ ତଦନ୍ତରେ ହତ୍ୟା ମାମଲା ହେବା ପରେ ପୁଲିସ ପତ୍ନୀ ସହ ତାଙ୍କ ପରିବାରର ତିନି ଜଣଙ୍କୁ ଗିରଫ କରିଛି।

ଜାନୁଆରି ୨୬ ତାରିଖରେ ଏକ ଭଡ଼ା ଘରରୁ ଜିତେନ୍ଦ୍ର ଯାଦବଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରାଥମିକ ଭାବେ ଏହାକୁ ଆତ୍ମହତ୍ୟା ମନେ କରାଯାଇଥିଲେ ମଧ୍ୟ ପୋଷ୍ଟମର୍ଟମ ଓ ଫୋରେନସିକ୍ ଯାଞ୍ଚରେ ଅସାମାଞ୍ଜସ୍ୟ ମିଳିବା ପରେ ପୁଲିସ ମାମଲାକୁ ହତ୍ୟା ଭାବେ ପଞ୍ଜୀକୃତ କରିଥିଲା।

ପୁଲିସ ସୂଚନା ଅନୁସାରେ, ମୃତକ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନଲାଇନ୍ ଜୁଆରେ ଟଙ୍କା ହାରିବାକୁ ନେଇ ବିବାଦ ହୋଇଥିଲା। ପଚରାଉଚରା ସମୟରେ ପତ୍ନୀ ଜ୍ୟୋତି ଘଟଣା ସମ୍ପର୍କରେ ସ୍ୱୀକାରୋକ୍ତି ଦେଇଥିବା ପୁଲିସ କହିଛି। ପରେ ଘଟଣାକୁ ଅନ୍ୟ ରୂପ ଦେବା ପାଇଁ ପରିବାର ସଦସ୍ୟଙ୍କ ସହଯୋଗ ନିଆଯାଇଥିବା ଅଭିଯୋଗ ରହିଛି।

ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ଜିତେନ୍ଦ୍ର ଗତ ନଭେମ୍ବର ୨୫ରେ ବିବାହ କରିଥିଲେ ଏବଂ ଦମ୍ପତି ଏକାଠି ଭଡ଼ା ଘରରେ ରହୁଥିଲେ। ପରିବାର ପକ୍ଷରୁ ସମ୍ପତ୍ତି ସମ୍ପର୍କିତ ଚାପ ଓ ଧମକ ନେଇ ମଧ୍ୟ ଅଭିଯୋଗ ଆଣାଯାଇଛି।

ଏହି ମାମଲାରେ ପୁଲିସ ପତ୍ନୀ ସହ ତାଙ୍କ ପିତା ଓ ମାତାଙ୍କୁ ଗିରଫ କରିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।