ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ପୁଣିଥରେ ନିଜ କଠୋର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏହି ବିବାଦ ସମ୍ପର୍କିତ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଅଦାଲତର ଆଦେଶକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ସରକାରୀ ମଞ୍ଚରୁ କୁହାଯାଇଛି। ଭାରତର ମତ ଅନୁଯାୟୀ, ଏହି ଅଦାଲତ ବେଆଇନ ପ୍ରକ୍ରିୟାରେ ଗଠନ ହୋଇଥିବାରୁ ତାହାର ନିର୍ଦ୍ଦେଶକୁ ସ୍ୱୀକୃତି ଦିଆଯିବ ନାହିଁ।
ହେଗ୍ ସ୍ଥିତ ମଧ୍ୟସ୍ଥତା ଅଦାଲତ ସିନ୍ଧୁ ଜଳ ବିବାଦ ପରିପ୍ରେକ୍ଷୀରେ ଭାରତକୁ କିଛି ଜଳବିଦ୍ୟୁତ ପ୍ରକଳ୍ପର କାର୍ଯ୍ୟକ୍ଷମତା ସମ୍ପର୍କିତ ରେକର୍ଡ ଓ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆସନ୍ତା ୯ ତାରିଖ ସୁଦ୍ଧା ଏହି ସବୁ ତଥ୍ୟ ଦେବାକୁ ଆଦେଶ ଥିଲେ ମଧ୍ୟ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି।
କେନ୍ଦ୍ର ସରକାର କହିଛି ଯେ, ଏହି ପ୍ରକ୍ରିୟାର ବୈଧତାକୁ ଭାରତ ସ୍ୱୀକାର କରୁନାହିଁ ଏବଂ ଏହି ଶୁଣାଣି ପ୍ରକ୍ରିୟାରେ ଅଂଶଗ୍ରହଣ ମଧ୍ୟ କରିବ ନାହିଁ। ଏପର୍ଯ୍ୟନ୍ତ ଭାରତ ପକ୍ଷରୁ କୌଣସି କାଉଣ୍ଟର ମେମୋରିଆଲ୍ ମଧ୍ୟ ଦାଖଲ ହୋଇନାହିଁ।
ସୂଚନାଯୋଗ୍ୟ ଯେ, ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ଆନୁଷ୍ଠାନିକ ଭାବେ ସ୍ଥଗିତ ରଖିଥିଲା। ସେଥିଠାରୁ ପାକିସ୍ତାନ ଏହି ମାମଲାକୁ ନେଇ ଅନ୍ତର୍ଜାତୀୟ ମଞ୍ଚରେ ବିଭିନ୍ନ ପଦକ୍ଷେପ ନେଉଛି। ତଥାପି ଭାରତ ନିଜ ନୀତିଗତ ଅବସ୍ଥାନରେ କୌଣସି ପରିବର୍ତ୍ତନ କରିନାହିଁ ଏବଂ ଚୁକ୍ତି ସମ୍ପର୍କିତ ମାମଲାରେ ସ୍ପଷ୍ଟ ଓ ଦୃଢ଼ ମତ ରଖିଛି।





