କୋରାପୁଟ/ନବରଙ୍ଗପୁର: କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଜେଇଏଲସି ସଂସ୍ଥା ଅଧୀନ ସ୍କୁଲଗୁଡ଼ିକରେ ପ୍ରାୟ ୪୦୦ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଗଭୀର ଅନିୟମିତତା ଏବଂ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି। ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରାଯାଇଛି।

ସଂଗଠନର ରାଜ୍ୟ ସଭାପତି ଓ ଆଇନଜୀବୀ ସୁବ୍ରତ କୁମାର ନନ୍ଦ, ନବରଙ୍ଗପୁର ଜିଲ୍ଲା ସଭାପତି ସିଏଚ୍‌ ଇଶ୍ୱର ଗାଓ, କୋରାପୁଟ ଜିଲ୍ଲା ସଭାପତି ଜି. ରାମବାବୁ, ଜିଲ୍ଲା ସଂଯୋଜକ ଅର୍ଜୁନ ଭତରା ଓ ରତନ ମାଝୀ କହିଛନ୍ତି ଯେ, ହାଇକୋର୍ଟରେ ମାମଲା ଚାଲୁଥିବା ସତ୍ତ୍ୱେ ବ୍ଲକ୍‌ ଗ୍ରାଣ୍ଟ ସ୍କୁଲଗୁଡ଼ିକ ସରକାରୀ ନିୟମକୁ ଏଡ଼ାଇ ନିଜେ ନିଯୁକ୍ତି ପ୍ରକ୍ରିୟା କରିଛନ୍ତି। ଏହାକୁ ତୁରନ୍ତ ବାତିଲ କରି ସ୍ୱତନ୍ତ୍ର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ, ଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ବ୍ୟାପକ ଅର୍ଥ ଲେନଦେନ ସହିତ ନିଯୁକ୍ତି ପ୍ରକ୍ରିୟା ହୋଇଛି। କେବଳ ଔପଚାରିକ ଭାବରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରି ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯାଇଥିବା କୁହାଯାଇଛି। କିଛି ଅଧିକାରୀ ଏହି ପ୍ରକ୍ରିୟାରେ ଜଡିତ ଥାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚାପ ପକାଇଥିବା ମଧ୍ୟ ସଂଗଠନ ଅଭିଯୋଗ କରିଛି।

ରାଜ୍ୟ ସରକାର ସମସ୍ତ ସ୍କୁଲକୁ ଗ୍ରାଣ୍ଟ ଓ ଦରମା ଯୋଗାଇଦେଉଥିବା ବେଳେ ସରକାରୀ ଅନୁମତି ବିନା ଏଭଳି ନିଯୁକ୍ତି କିପରି ହେଲା ବୋଲି ପ୍ରଶ୍ନ ଉଠାଯାଇଛି। ଉଭୟ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଏହି ନିଯୁକ୍ତି ବାତିଲ କରିବା ସହ ଦାୟୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ଦାବି ହୋଇଛି।

ସରକାର ପକ୍ଷରୁ ପଦକ୍ଷେପ ନ ନିଆଯାଇଲେ ସଂଗଠନ ହାଇକୋର୍ଟରେ ନିଜେ ପକ୍ଷଭୁକ୍ତ ହେବ ବୋଲି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। ସେହିପରି ଅବସରପ୍ରାପ୍ତ ସାମ୍ବାଦିକମାନଙ୍କ ପେନସନ୍‌ ସୁବିଧା ନେଇ ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ଓ ଏହା ସମ୍ପର୍କିତ ବିଲ୍‌କୁ ଆସନ୍ତା ବିଧାନସଭା ଅଧିବେଶନରେ ଆଣିବାକୁ ମଧ୍ୟ ସଂଗଠନ ଦାବି କରିଛି।