ନୂଆଦିଲ୍ଲୀ: ଜେଲରେ ଅଟକ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଗ୍ୟାଙ୍ଗ ପକ୍ଷରୁ ପାଞ୍ଚ ଜଣ ପ୍ରମୁଖ ବଲିଉଡ୍ ଅଭିନେତାଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ପୁଲିସ ସୂତ୍ରରୁ ମିଳିଛି। ଗ୍ୟାଙ୍ଗର ସହଯୋଗୀ ଓ ଫେରାର ଅଭିଯୁକ୍ତ ଶୁଭମ ଲୋଙ୍କାରଙ୍କ ନାମ ଏହି ଘଟଣାରେ ଆସୁଛି। କିଛି ସେଲିବ୍ରିଟିଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ସହ ବଟି ଦାବି ହୋଇଥିବା କୁହାଯାଉଛି।
ପୁଲିସ କହିଛି, ଭୟ ଓ ସୁରକ୍ଷା ଆଶଙ୍କାରୁ ପ୍ରଭାବିତ ବ୍ୟକ୍ତିମାନେ ଏପର୍ଯ୍ୟନ୍ତ ଔପଚାରିକ ଭାବେ ଅଭିଯୋଗ ଦାଖଲ କରିନାହାନ୍ତି। ତଥ୍ୟ ଲୁଚାଇ ରଖାଯାଇଲେ ତଦନ୍ତ ଏବଂ ପଦକ୍ଷେପ ନେବାରେ ସମସ୍ୟା ସୃଷ୍ଟି ହୁଏ ବୋଲି ପୁଲିସ ପକ୍ଷରୁ ଉଲ୍ଲେଖ କରାଯାଇଛି।
ଏପରି ସମୟରେ ସିନେମା ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ବାସଭବନ ଉପରେ ଗୁଳିଚାଳନା ଘଟଣାକୁ ନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଦଳ ପଠାଯାଇଛି। ପ୍ରାଥମିକ ତଦନ୍ତରେ ଏହାକୁ ଦାଦାବଟି ସଂପର୍କିତ ମାମଲା ଭାବେ ଦେଖାଯାଉଛି।
ପୂର୍ବରୁ ମଧ୍ୟ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ କିଛି ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ଧମକ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ନୂଆ କେସ୍ଗୁଡିକରେ ମୁଖ୍ୟ ଉଦ୍ଦେଶ୍ୟ ଆର୍ଥିକ ଦାବି ବୋଲି ତଦନ୍ତକାରୀ ସଂସ୍ଥାମାନେ ସନ୍ଦେହ କରୁଛନ୍ତି। ପୁଲିସ ସମ୍ପୂର୍ଣ୍ଣ ଘଟଣାକୁ ଗୁରୁତ୍ୱ ସହ ନେଇ ତଦନ୍ତ ଜାରି ରଖିଛି।





