ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟାକୁ କେବଳ ନବାବିଷ୍କାର ଓ ବ୍ୟବସାୟର ସୀମାରେ ରଖି ନ ଥାଇ, ସାମାଜିକ ନ୍ୟାୟ ଓ ଅନ୍ତର୍ଭୂକ୍ତିକରଣକୁ ଶକ୍ତିଶାଳୀ କରିବାର ଉପକରଣ ଭାବେ ଗଢ଼ି ତୋଳିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ସେ ଭୁବନେଶ୍ୱରରେ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ସହଯୋଗରେ ଓଡ଼ିଶା ସରକାର ଆୟୋଜିତ ବ୍ଲାକ୍ ସ୍ୱାନ୍ ସମ୍ମିଳନୀରେ ଯୋଗ ଦେଇ ଏହି ମତ ପ୍ରକାଶ କରିଥିଲେ।
ରାଷ୍ଟ୍ରପତି କହିଥିଲେ ଯେ, ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ଦ୍ରୁତ ଗତିରେ ଅଗ୍ରସର ହେଉଛି। ନୂଆ ଉଦ୍ଭାବନ ଓ ପରିବର୍ତ୍ତନ ଏତେ ଶୀଘ୍ର ହେଉଛି ଯେ ବ୍ୟବସ୍ଥା, ଦକ୍ଷତା ଓ ବ୍ୟବସାୟ ମଡେଲ୍ଗୁଡ଼ିକ ଏହା ସହ ଖାପ ଖୁଆଇବାରେ ଅସୁବିଧା ଅନୁଭବ କରୁଛି। ଏହା ସହିତ ସାଇବର ସୁରକ୍ଷା ଝୁମକି, ଡିପ୍ଫେକ୍, ଭୁଲ ସୂଚନା ପ୍ରସାର ଓ ଅତ୍ୟଧିକ ଡିଜିଟାଲ୍ ନିର୍ଭରଶୀଳତା ଭଳି ଆହ୍ୱାନ ମଧ୍ୟ ବଢ଼ୁଛି। ତଥାପି, ପ୍ରଯୁକ୍ତିବିଦ୍ୟା ନବସୃଜନ ଓ ଆର୍ଥିକ ଅଭିବୃଦ୍ଧିକୁ ଦ୍ରୁତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଉଛି।
ସେ କହିଥିଲେ, ଏପରି ସମ୍ମିଳନୀ ମାଧ୍ୟମରେ ନୂଆ ଚିନ୍ତାଧାରା ଓ ଅଭିନବ ପଦ୍ଧତି ଖୋଜାଯାଇ ପାରିବ, ଯାହା ଦ୍ୱାରା ଦକ୍ଷତା ବିକାଶ, ନିଯୁକ୍ତି ସୃଷ୍ଟି ଓ ଡିଜିଟାଲ୍-ଆର୍ଥିକ ପରିବର୍ତ୍ତନକୁ ଗତି ମିଳିବ।
ଭାରତର ଆର୍ଥିକ ପରିବେଶରେ ଗତ ଦଶକରେ ବଡ଼ ପରିବର୍ତ୍ତନ ଆସିଥିବା କଥା ଉଲ୍ଲେଖ କରି ସେ କହିଥିଲେ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଓ ଡିଜିଟାଲ୍ ଲେନଦେନ ଚାଷୀ, ଛୋଟ ବ୍ୟବସାୟୀ ଓ ମହିଳାମାନଙ୍କ ପାଇଁ ସାଧାରଣ ଅଭ୍ୟାସ ହୋଇଯାଇଛି। ଫିନଟେକ୍ ବର୍ତ୍ତମାନ ମାତ୍ର ପ୍ରଯୁକ୍ତିକ ଶବ୍ଦ ନୁହେଁ, ବହୁ ଲୋକଙ୍କ ପାଇଁ ଜୀବନର ଅଂଶ। ଏହାକୁ ଲିଙ୍ଗ ସମତା ଓ ସାମାଜିକ ସଶକ୍ତିକରଣ ସହିତ ମଧ୍ୟ ଯୋଡ଼ି ଦେଖିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ।
ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ ଯେ, ଫିନଟେକ୍ ଆପେଆପେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ। ଦୂରଦୂରାନ୍ତ ଓ ଆଦିବାସୀ ଅଞ୍ଚଳର ଅନେକ ଲୋକ ଡିଜିଟାଲ୍ ଉପକରଣରେ ପରିଚିତ ନୁହନ୍ତି। ସେମାନଙ୍କୁ ଦକ୍ଷତା ଓ ପ୍ରଶିକ୍ଷଣ ଯୋଗାଇ ଦେବା ଦରକାର, ଯାହା ଦ୍ୱାରା ସେମାନେ ବିକାଶ ଯାତ୍ରାର ସାଥୀ ହୋଇପାରିବେ।
ସାଇବର ଠକେଇ ବିଷୟରେ ସତର୍କ କରି ସେ କହିଥିଲେ, ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ଓ ଡିଜିଟାଲ୍ ସାକ୍ଷରତା ଆବଶ୍ୟକ। ସ୍କୁଲ୍ ସ୍ତରରୁ ଡିଜିଟାଲ୍ ଓ ଆର୍ଥିକ ସାକ୍ଷରତାକୁ ପାଠ୍ୟକ୍ରମର ଅଂଶ କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।
ଦକ୍ଷତା ବିକାଶ ଓ ନବସୃଜନ କ୍ଷମତା ବଢ଼ାଇବାକୁ ମାନବ ପୁଞ୍ଜିରେ ନିବେଶ ବୋଲି ଉଲ୍ଲେଖ କରି ଓଡ଼ିଶା ସରକାରଙ୍କ ‘ଭାରତନେତ୍ର’ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ବ୍ଲାକ୍ ସ୍ୱାନ୍ ସମ୍ମିଳନୀର ଆଲୋଚନା ଓ ସହଯୋଗ ଓଡ଼ିଶା ସହିତ ଦେଶ ଓ ବିଶ୍ୱ ପାଇଁ ମଧ୍ୟ ଲାଭଦାୟକ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।





