ଜଳେଶ୍ବର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଗରେ ରଖି ବିଜେପି ପକ୍ଷରୁ ପ୍ରଚାର ରଣନୀତି ଜୋରଦାର କରାଯାଇଛି। ଦଳ ପଶ୍ଚିମବଙ୍ଗରେ ସଂଗଠନ ମଜବୁତ କରିବା ପାଇଁ ଓଡ଼ିଶାର ନେତାମାନଙ୍କୁ ପ୍ରଚାର କାର୍ଯ୍ୟରେ ଲାଗୁ କରିବାକୁ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ମୋଟ ୩୬ ଜଣ ଓଡ଼ିଆ ନେତାଙ୍କ ନାମ ଥିବା ସୂଚନା ମିଳିଛି, ଯାହା ମଧ୍ୟରୁ ବାଲେଶ୍ବର ଜିଲ୍ଲାର ୬ ଜଣ ସାମିଲ ଅଛନ୍ତି।

ପଶ୍ଚିମବଙ୍ଗର ୨୯୮ଟି ବିଧାନସଭା ଆସନ ପାଇଁ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ବିଜେପି ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ ପ୍ରାୟ ୨୦୦ ନିର୍ବାଚନମଣ୍ଡଳୀକୁ ନେଇ ଖାସ ଯୋଜନା ତିଆରି ହୋଇଥିବା କୁହାଯାଉଛି। ଏହାର ସମନ୍ୱୟ ଦାୟିତ୍ୱ କେନ୍ଦ୍ରୀୟ ନେତୃତ୍ୱ ହାତରେ ରହିଛି।

ଗତ ସପ୍ତାହରେ କୋଲକାତାରେ ଆୟୋଜିତ ଏକ ବୈଠକରେ କେନ୍ଦ୍ରୀୟ ନେତାମାନଙ୍କ ସହ ପଶ୍ଚିମବଙ୍ଗ ବିଜେପି ପଦାଧିକାରୀ ଓ ଓଡ଼ିଶାର ଚୟନିତ ନେତାମାନେ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୩୬ ଜଣ ନେତାଙ୍କୁ ମେଦିନପୁର, ଝାଡ଼ଗ୍ରାମ, କୋଲକାତା ନର୍ଥ, କୋଲକାତା ସବଅର୍ବାନ, ଘଟାଲ, କାନ୍ଥି, ତମଲୁକ, ବାଙ୍କୁଡ଼ା, ଜୟନଗର ଓ ମଥୁରାପୁର ସହିତ ୧୦ଟି ଜିଲ୍ଲାର ୩୬ଟି ବିଧାନସଭା କ୍ଷେତ୍ରର ଦାୟିତ୍ୱ ଦିଆଯାଇଛି।

ପ୍ରାଥମିକ ତାଲିକାରେ ବାଲେଶ୍ବର ଜିଲ୍ଲାର ୬ ଜଣ ନେତାଙ୍କୁ ସ୍ଥାନ ମିଳିଛି। ସେମାନଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ସୀମାନ୍ତ ଓ ପ୍ରମୁଖ ବିଧାନସଭା କ୍ଷେତ୍ରରେ ପ୍ରଚାର ଓ ସଂଗଠନ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଦାୟିତ୍ୱ ପାଇବା ପରେ ସମ୍ପୃକ୍ତ ନେତାମାନେ ସ୍ଥାନୀୟ ଦଳୀୟ କର୍ମୀ ଓ ପ୍ରାର୍ଥୀ ଆଶାୟୀମାନଙ୍କ ସହ ବୈଠକ ଆରମ୍ଭ କରିଥିବା ସୂଚନା ମିଳିଛି।

ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନଙ୍କୁ ଷ୍ଟାର୍ କ୍ୟାମ୍ପେନର୍ ତାଲିକାରେ ରଖାଯାଇଥିବା ବେଳେ ସେମାନେ ଆଗାମୀ ଦିନରେ ପଶ୍ଚିମବଙ୍ଗର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ସଭା ଓ ପ୍ରଚାର କାର୍ଯ୍ୟରେ ଯୋଗ ଦେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।