ୱାସିଂଟନ: ଆମେରିକାର ସିଆଟେଲ୍ରେ ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ମାମଲାରେ ତାଙ୍କ ପରିବାରକୁ ୨୯ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୬୨ କୋଟି ଟଙ୍କା) କ୍ଷତିପୂରଣ ମିଳିବ। ସିଆଟେଲ୍ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପରେ ଏହି ରାଶି ଦେବାକୁ ସମ୍ମତି ହୋଇଛି।
ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀରେ ସିଆଟେଲ୍ରେ ପୁଲିସ ଗାଡ଼ି ଧକ୍କାରେ ୨୩ ବର୍ଷୀୟା ଜାହ୍ନବୀଙ୍କ ମୃତ୍ୟୁ ଘଟିଥିଲା। ସେ ନର୍ଥଇଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟର ସିଆଟେଲ୍ କ୍ୟାମ୍ପସରେ ଇନଫରମେସନ୍ ସିଷ୍ଟମ୍ରେ ମାଷ୍ଟର୍ସ ପଢ଼ୁଥିଲେ। ରାସ୍ତା ପାର୍ ହେଉଥିବା ବେଳେ ଦ୍ରୁତ ବେଗରେ ଆସୁଥିବା ପୁଲିସ କାର୍ ତାଙ୍କୁ ଧକ୍କା ଦେଇଥିଲା। ସେହି ରାସ୍ତାର ବେଗ ସୀମା ୨୫ କିମି ଥିବା ସତ୍ତ୍ୱେ ଗାଡ଼ିଟି ୭୪ କିମିରୁ ଅଧିକ ବେଗରେ ଚାଲୁଥିବା ଅଭିଯୋଗ ଥିଲା।
ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ସିଆଟେଲ୍ ସହର ପ୍ରଶାସନ ଓ ଦୁର୍ଘଟଣା ସମୟରେ ଗାଡ଼ି ଚଳାଉଥିବା ପୂର୍ବତନ ପୁଲିସ ଅଧିକାରୀ କେଭିନ୍ ଡେଭ୍ଙ୍କ ବିରୋଧରେ ୧୧୦ ମିଲିୟନ ଡଲାରର ମାମଲା ରୁଜୁ ହୋଇଥିଲା। ପରେ ସିଆଟେଲ୍ କର୍ତ୍ତୃପକ୍ଷ କେଭିନ୍ ଡେଭ୍ଙ୍କୁ ଚାକିରିରୁ ବର୍ଖାସ୍ତ କରିଥିଲେ।
ପରିବାରର ଓକିଲ ଏରିକା ଇଭାନ୍ସ କହିଛନ୍ତି, ଏହି ବୁଝାମଣା ରାଶି ପରିବାରକୁ କିଛି ସହାୟତା ଦେବ, ଯଦିଓ ଏହାରେ ତାଙ୍କ ହାନି ପୂରଣ ସମ୍ଭବ ନୁହେଁ। ଘଟଣା ସମୟରେ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଅନ୍ୟ ଜଣେ ପୁଲିସ ଅଧିକାରୀ ଡେନିୟଲ୍ ଅଡେରର୍ଙ୍କୁ ମଧ୍ୟ ପରେ ଚାକିରିରୁ ବଦଳାଯାଇଥିଲା।





