କାବୁଲ: ଆଫଗାନିସ୍ତାନରେ ତାଲିବାନ ପ୍ରଶାସନ ପୁନର୍ବାର ମହିଳାଙ୍କ ଅଧିକାରକୁ କେନ୍ଦ୍ର କରି ବିବାଦରେ ପଡ଼ିଛି। ଦେଶର ସର୍ବୋଚ୍ଚ ନେତା ହିବାତୁଲ୍ଲା ଆଖୁନ୍ଦଜାଦାଙ୍କ ଅନୁମୋଦନରେ ଏକ ନୂତନ ଦଣ୍ଡ ସଂହିତା ଲାଗୁ କରାଯାଇଥିବା ବେଳେ, ଏହା ମହିଳାଙ୍କ ସ୍ୱାଧୀନତା ଓ ସୁରକ୍ଷା ନେଇ ଗଭୀର ଚିନ୍ତା ସୃଷ୍ଟି କରିଛି।

ନୂତନ ଆଇନ୍‌ ଅନୁଯାୟୀ, ପରିବାରିକ ନିର୍ଯାତନା ମାମଲାରେ ଦଣ୍ଡ ବ୍ୟବସ୍ଥାକୁ ନେଇ ବିରୋଧାଭାସ ଦେଖାଯାଇଛି। ସ୍ତ୍ରୀଙ୍କ ଉପରେ ନିର୍ଯାତନା ଘଟିଲେ ଅଭିଯୁକ୍ତଙ୍କୁ ସୀମିତ ସମୟର କାରାଦଣ୍ଡ ଦିଆଯିବା ବ୍ୟବସ୍ଥା ରହିଥିବାବେଳେ, କିଛି ଅନ୍ୟ କ୍ଷୁଦ୍ର ଅପରାଧ ପାଇଁ ଅଧିକ କଠୋର ଦଣ୍ଡ ନିର୍ଦ୍ଧାରଣ କରାଯାଇଛି।

ସେହିପରି, ନୂତନ ନିୟମ ଅନୁସାରେ ସ୍ୱାମୀଙ୍କ ଅନୁମତି ବିନା ଜଣେ ମହିଳା ପିତୃଗୃହକୁ ଯାଇଥିଲେ ତାଙ୍କୁ କାରାଦଣ୍ଡ ଭୋଗିବାକୁ ପଡ଼ିପାରେ। ଏହା ସହ ମହିଳାଙ୍କୁ ସ୍ୱାମୀଙ୍କ ଘରକୁ ଫେରିବାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି କିମ୍ବା ସମ୍ପର୍କୀୟଙ୍କ ଉପରେ ମଧ୍ୟ ଆଇନଗତ କାର୍ଯ୍ୟବାହୀର ବ୍ୟବସ୍ଥା ରହିଛି।

ନୂତନ ଦଣ୍ଡ ବ୍ୟବସ୍ଥାରେ ସାମାଜିକ ସ୍ଥିତି ଆଧାରରେ ଶାସ୍ତି ନିର୍ଣ୍ଣୟ ହେବାକୁ ଥିବା ନିୟମ ମଧ୍ୟ ଥିବା ଖବର ମିଳିଛି। କିଛି ପ୍ରଭାବଶାଳୀ ବର୍ଗ ପାଇଁ ସହଜ ଆଇନଗତ ପ୍ରକ୍ରିୟା ରହିଥିବାବେଳେ, ସାଧାରଣ ଓ ଅର୍ଥନୈତିକ ଭାବେ ପଛୁଆ ଶ୍ରେଣୀ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ନେଇ ଆଲୋଚନା ଜୋରଦାର ହୋଇଛି।

ମାନବାଧିକାର ସଂଗଠନମାନେ ଏହି ଆଇନ୍‌କୁ ନେଇ ଚିନ୍ତା ପ୍ରକାଶ କରିଥିବାବେଳେ, ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର ଓ ସାମାଜିକ ସମାନତା ନେଇ ପୁନର୍ବାର ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।