କଟକ: ଶିଶୁକନ୍ୟାକୁ ଜନ୍ମଦାତ୍ରୀ ମା’ଙ୍କ ସହ ଭେଟିବାକୁ ଦିଆଯାଉନଥିବା ଅଭିଯୋଗକୁ ନେଇ ଫିଲିପାଇନ୍ସର ଜଣେ ନାଗରିକ ଦାଖଲ କରିଥିବା ହେବିୟସ କର୍ପସ ଆବେଦନକୁ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱ ସହ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି କରି ଅଦାଲତ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ କହିଥିବାବେଳେ ଶିଶୁର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଯାଜପୁର ଏସପିଙ୍କ ନିକଟରୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି।

ଜଷ୍ଟିସ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଅଦାଲତ ଶିଶୁର ସୁରକ୍ଷା ଓ କଲ୍ୟାଣ ସମ୍ପର୍କିତ ସମସ୍ତ ତଥ୍ୟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଲିଖିତ ଭାବେ ଦାଖଲ କରିବାକୁ ରାଜ୍ୟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିସହ ମାମଲାରେ ଶିଶୁର ବାପା, ଜେଜେ ଓ ଜେଜେମା’ଙ୍କୁ ନୋଟିସ ଜାରି କରାଯାଇଛି। ମାର୍ଚ୍ଚ ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।

ମାମଲାର ତଥ୍ୟ ଅନୁସାରେ, ଆବେଦନକାରୀ ଜଣେ ଫିଲିପାଇନ୍ସ ନାଗରିକ ହୋଇଥିବାବେଳେ ବର୍ତ୍ତମାନ ଭିଏତନାମର ହାନୋଇ ସହରରେ ଏକ ସଂସ୍ଥାରେ କାର୍ଯ୍ୟରତ। ସେ ଭାରତରେ ରହୁଥିବା ସମୟରେ ୨୦୨୩ ନଭେମ୍ବରରେ ଜଣେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପରେ ଭିସା ସମସ୍ୟା ହେତୁ ସାମୟିକ ଭାବେ ଭାରତ ଛାଡ଼ିବାକୁ ପଡ଼ିଥିଲା ଓ ଶିଶୁକୁ ତାଙ୍କ ବାପାଙ୍କ ଜିମାରେ ରଖି ସେ ସ୍ୱଦେଶକୁ ଫେରିଥିଲେ।

ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ପରବର୍ତ୍ତୀ ସମୟରେ ପ୍ରତିପକ୍ଷମାନେ ଶିଶୁକୁ ତାଙ୍କଠାରୁ ଦୂରେଇ ରଖିଥିବା ସହ ଭାରତ ଫେରିବା ପରେ ମଧ୍ୟ ତାଙ୍କୁ ଶିଶୁକନ୍ୟା ସହ ଭେଟିବାକୁ ଦିଆଯାଉନାହିଁ। ଏହା ଫଳରେ ଶିଶୁ ମାତୃସ୍ନେହ ଓ ଯଥୋଚିତ ଦେଖାଶୁଣାରୁ ବଞ୍ଚିତ ହେଉଛି ବୋଲି ସେ ଦାବି କରିଛନ୍ତି।

ଅଢେଇ ବର୍ଷରୁ କମ ବୟସର ଶିଶୁକନ୍ୟାଙ୍କ ଜିମା ଜନ୍ମଦାତ୍ରୀ ମା’ଙ୍କୁ ହସ୍ତାନ୍ତର କରାଯିବାକୁ ଅନୁରୋଧ କରି ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ପକ୍ଷରୁ ଆଇନଜୀବୀ ରଜତ କୁମାର ପଣ୍ଡା, ପି.ପି. ପରିଡା, ଆଦ୍ୟାଶା ଦାସ ଓ ଧନଞ୍ଜୟ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।