କଟକ: ରାଜ୍ୟର କିଛି ଅଞ୍ଚଳରେ କିଡ୍ନି ରୋଗ ଭୟାବହ ରୂପ ନେଉଛି। କଟକ ଜିଲ୍ଲାର ନରସିଂହପୁର ସହ ଢେଙ୍କାନାଳ, ବଲାଙ୍ଗୀର ଓ ଝାରସୁଗୁଡ଼ା ଏବେ କିଡ୍ନି ରୋଗର ହଟସ୍ପଟ୍ ଭାବେ ଚିହ୍ନଟ ହୋଇଛି। ଭୂତଳ ଜଳରେ ସିସା, କ୍ୟାଡମିୟମ୍, ମର୍କ୍ୟୁରି ଓ ଫ୍ଲୋରାଇଡ୍ର ଅଧିକ ମାତ୍ରା ଥିବାରୁ ଏହି ଅଞ୍ଚଳଗୁଡ଼ିକରେ ଏପର୍ଯ୍ୟନ୍ତ ୧୯ ହଜାର ୮୮୮ ଜଣ ଲୋକ କିଡ୍ନି ରୋଗରେ ପୀଡ଼ିତ ହୋଇଛନ୍ତି। ଗତ ୩ ବର୍ଷ ମଧ୍ୟରେ ୪ ହଜାର ୭୯୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମାର୍ଚ୍ଚ ୧୨ ତାରିଖରେ ବିଶ୍ୱ କିଡ୍ନି ଦିବସ ପାଳନ କରାଯାଉଥିବା ବେଳେ ଏହି ଚିନ୍ତାଜନକ ସ୍ଥିତି ସାମ୍ନାକୁ ଆସିଛି। କଟକର ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ କିଡ୍ନି ରୋଗୀଙ୍କ ସଂଖ୍ୟା ଲଗାତାର ବଢ଼ୁଥିବାରୁ ହସ୍ପିଟାଲ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି।
ହସ୍ପିଟାଲର ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ଏସ୍ସିବିର ବହିର୍ବିଭାଗ (ଓପିଡି)ରେ ୪୧ ହଜାର ୨୨୬ ଜଣ କିଡ୍ନି ରୋଗୀ ଚିକିତ୍ସା ନେଇଥିଲେ। ସେହି ସମୟରେ ୮ ହଜାର ୨୫୬ ଜଣ ରୋଗୀ ଆଇପିଡିରେ ଭର୍ତ୍ତି ହୋଇଥିଲେ। ଏହାପରେ ୨୦୨୪-୨୫ ମସିହାରେ ଓପିଡିରେ ୪୪ ହଜାର ୮୨୯ ଜଣ ରୋଗୀ ଚିକିତ୍ସା ନେଇଥିବା ବେଳେ ୭ ହଜାର ୨୯୪ ଜଣ ରୋଗୀ ଆଇପିଡିରେ ଭର୍ତ୍ତି ହୋଇଥିଲେ।
ଗତ ୩୦ ବର୍ଷ ଧରି ମଧୁମେହ ଓ ଉଚ୍ଚ ରକ୍ତଚାପ କିଡ୍ନି ରୋଗର ପ୍ରମୁଖ କାରଣ ଥିବା ବେଳେ ବର୍ତ୍ତମାନ ଦୂଷିତ ପାଣି ମଧ୍ୟ ବଡ଼ କାରଣ ଭାବେ ଆସିପଡ଼ିଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ପାଣିରେ ଥିବା ଭାରି ଧାତୁ ମଣିଷର କିଡ୍ନିର ସୂକ୍ଷ୍ମ କୋଷଗୁଡ଼ିକୁ ନଷ୍ଟ କରି ଦେଇଥାଏ। ବିଶେଷକରି କ୍ୟାଡମିୟମ୍ ଶରୀରକୁ ପ୍ରବେଶ କଲେ ୧୦ରୁ ୩୦ ବର୍ଷ ପର୍ଯ୍ୟନ୍ତ କିଡ୍ନିରେ ଜମି ରହିପାରେ ଓ ଗୁରୁତର କ୍ଷତି ସୃଷ୍ଟି କରେ। ସେହିଭଳି ମର୍କ୍ୟୁରି କିଡ୍ନିର କାର୍ଯ୍ୟକ୍ଷମତାକୁ କମାଇ ଦେଉଥିବା ବେଳେ ଫ୍ଲୋରାଇଡ୍ର ଅଧିକ ମାତ୍ରା କିଡ୍ନିର ଗ୍ଲୋମେରୁଲାର ଫିଲଟ୍ରେସନ୍ ରେଟ୍କୁ ପ୍ରଭାବିତ କରେ।
ଏସ୍ସିବି ମେଡିକାଲର ରେନାଲ୍ ଟ୍ରାନ୍ସପ୍ଲାଣ୍ଟେସନ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ବିବେକାନନ୍ଦ କରଙ୍କ କହିବା ଅନୁଯାୟୀ, କିଡ୍ନି ରୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ସହଜରେ ଚିହ୍ନଟ ହୁଏନି। ପାଦ କିମ୍ବା ଗୋଡ଼ ଫୁଲିଯିବା, ଆଖି ଚାରିପଟେ ସୁଜନ, ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାରେ ଫେଣ ହେବା, ପରିସ୍ରାର ରଙ୍ଗ ବଦଳିବା, ଅଧିକ କ୍ଲାନ୍ତି, ଭୋକ କମିଯିବା ଓ ବାନ୍ତି ଲାଗିବା ଇତ୍ୟାଦି ଏହାର ପ୍ରମୁଖ ଲକ୍ଷଣ।
ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ, ପ୍ରଚୁର ପାଣି ପିଇବା, ଖାଦ୍ୟରେ ଲୁଣ କମ୍ ରଖିବା, ରକ୍ତଚାପ ଓ ସର୍କରାକୁ ନିୟନ୍ତ୍ରଣରେ ରଖିବା ସହ ନିଶାଦ୍ରବ୍ୟରୁ ଦୂରେଇ ରହିଲେ କିଡ୍ନି ରୋଗର ଝୁମକିକୁ ଅନେକ ହଦ ପର୍ଯ୍ୟନ୍ତ କମାଇ ପରିବ ବୋଲି ସେ କହିଛନ୍ତି।




