ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ‘ମେରା ଯୁବା ଭାରତ’ (MY Bharat) ପକ୍ଷରୁ ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମଠାରେ ‘ବିକଶିତ ଭାରତ ପାଇଁ ଯୁବପିଢ଼ି – ମାଇଁ ଭାରତ ଯୁବ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ @2047’ ସଂକଳ୍ପକୁ ସାକାର କରିବାରେ ଯୁବଶକ୍ତିକୁ ମୁଖ୍ୟ ଚାଳିକା ଶକ୍ତି ଭାବେ ଗଢ଼ିତୋଳିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।ଏହି ମହାସମାବେଶରେ ସାରା ଦେଶରୁ ୬,୦୦୦ରୁ ଅଧିକ ଯୁବକଯୁବତୀ ଏକତ୍ରିତ ହୋଇଛନ୍ତି।
ଏଥିରେ ଛାତ୍ରଛାତ୍ରୀ, ଯୁବ ବୃତ୍ତିଗତ, ଉଦ୍ୟୋଗୀ, କଣ୍ଟେଣ୍ଟ କ୍ରିଏଟର ଏବଂ ନବୋନ୍ମେଷକମାନେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ନେତା ଓ ଯୁବ ଆଇକନ୍ମାନେ ଉପସ୍ଥିତ ଅଛନ୍ତି।
ସମ୍ମିଳନୀରେ ଅନେକ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଯୁବପିଢ଼ିଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିବେ। ସେମାନଙ୍କ ମଧ୍ୟରେ ଭାରତର ସବୁଠାରୁ ଦ୍ରୁତତମ ଆଥଲେଟ୍ ଗୁରିନ୍ଦରବୀର ସିଂହ, ବଲିଉଡ ଅଭିନେତା ବିକ୍ରାନ୍ତ ମେସି, ‘boAt’ କମ୍ପାନୀର ସହ-ପ୍ରତିଷ୍ଠାତା ଅମନ ଗୁପ୍ତା, ଅଲିମ୍ପିକ୍ ପଦକ ବିଜେତା ଅମନ ସେହରାବତ, ୟୁପିଏସ୍ସି ସଫଳତା ହାସଲ କରିଥିବା କୃତୀ ଛାତ୍ର ଏବଂ ପ୍ରତିଷ୍ଠିତ କଣ୍ଟେଣ୍ଟ କ୍ରିଏଟର ମଲହାର କାଲାମ୍ବେ ଓ ଆର.ଜେ. ରୌନକ ପ୍ରମୁଖ ସାମିଲ ଅଛନ୍ତି।
ଏହି ଅବସରରେ କ୍ରୀଡ଼ା, ଉଦ୍ୟୋଗ, ପ୍ରଶାସନ ଓ କଣ୍ଟେଣ୍ଟ କ୍ରିଏସନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ।ଏହା ସହ ‘ମାଇଁ ଭାରତ’ର ଏକ ବଡ଼ ସଫଳତାକୁ ମଧ୍ୟ ଏଠାରେ ସେଲିବ୍ରେଟ୍ କରାଯାଉଛି। ନିକଟରେ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍’ କୁଇଜ୍ ମାଧ୍ୟମରେ “ଏକ ସପ୍ତାହ ମଧ୍ୟରେ ସବୁଠାରୁ ଅଧିକ ବ୍ୟବହାରକାରୀଙ୍କ ଦ୍ୱାରା ଅନଲାଇନ୍ କୁଇଜ୍ ଭାଗ ନେବା” ଶ୍ରେଣୀରେ ‘ମାଇଁ ଭାରତ’ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି।
ଏହି କୁଇଜ୍ରେ ୫୦ ଲକ୍ଷରୁ ଅଧିକ ଯୁବପିଢ଼ି ଅଂଶଗ୍ରହଣ କରିଥିବା ବେଳେ ୩,୯୦,୮୧୨ ଜଣ ସଫଳତାର ସହ ଏହାକୁ ସମ୍ପୂର୍ଣ୍ଣ କରିଥିଲେ।ସରକାରୀ ବିବୃତି ଅନୁଯାୟୀ, ଏହି ସମ୍ମିଳନୀ ଭାରତର ‘ଅମୃତ ପିଢ଼ି’ର ସଂକଳ୍ପକୁ ଦୋହରାଇବା ସହ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୁବସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଦର୍ଶିତ କରୁଛି।




