ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ତନାତନି ମଧ୍ୟରେ ଇରାକ ଉପକୂଳରେ ଦୁଇଟି ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ ଘଟିଛି। ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗତରାତିରେ ଘଟିଥିବା ଏହି ଘଟଣା ପଛରେ ଇରାନର ହାତ ଥିବା ସନ୍ଦେହ କରାଯାଉଛି।
ଯୁଦ୍ଧ ପରିସ୍ଥିତି ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ଏକ ଲିଟର ତେଲ ମଧ୍ୟ ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିବା ପରେ ପ୍ରଥମ ଥର ପାଇଁ ଇରାନ ସିଧାସଳଖ ଭାବେ ତୈଳ ଟ୍ୟାଙ୍କର୍କୁ ଟାର୍ଗେଟ୍ କରିଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ମାର୍ଶଲ ଦ୍ୱୀପପୁଞ୍ଜର ପତାକା ବୋହିଥିବା ଆମେରିକୀୟ ତୈଳ ଟ୍ୟାଙ୍କର୍ ‘ସେଫ୍ସି ବିଷ୍ଣୁ’ ଉପରେ ଏକ ଆତ୍ମଘାତୀ ଡଙ୍ଗା ମାଧ୍ୟମରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି, ଯଦିଓ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନି। ଜାହାଜରେ ଥିବା ଅନ୍ୟ ୨୭ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ଦକ୍ଷିଣ ଇରାକର ବସରା ସହରକୁ ନିଆଯାଇଥିବା ସୂଚନା ମିଳିଛି।
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା କିଛି ଭିଡିଓରେ ଜୋରଦାର ବିସ୍ଫୋରଣ ଓ ଦୁଇଟି ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ମାଲ୍ଟାର ପତାକା ବୋହିଥିବା ‘ଜେଫିରୋସ୍’ ଓ ମାର୍ଶଲ ଦ୍ୱୀପପୁଞ୍ଜର ‘ସେଫ୍ସି ବିଷ୍ଣୁ’ ନାମକ ଏହି ଦୁଇଟି ତୈଳ ଟ୍ୟାଙ୍କର୍ ଏକ ଆମେରିକୀୟ କମ୍ପାନିର ମାଲିକାନାରେ ଥିବା କୁହାଯାଉଛି।
ସୂତ୍ର ଅନୁଯାୟୀ, ଉଭୟ ଜାହାଜରେ ପ୍ରାୟ ୪ ଲକ୍ଷ ବ୍ୟାରେଲ୍ ଇରାକୀ ଅଶୋଧିତ ତୈଳ ପରିବହନ ହେଉଥିଲା। ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ସମୁଦ୍ର ପଥ ସୁରକ୍ଷା ନେଇ ଆନ୍ତର୍ଜାତିକ ମଞ୍ଚରେ ଚିନ୍ତା ବଢ଼ିଛି।




