ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ରୋଷେଇ ପରମ୍ପରାକୁ ଆଲୋକିତ କରି ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ଦୁଇଦିନିଆ ‘ପଖାଳ ପର୍ବ ୨୦୨୬’ର ଶୁଭାରମ୍ଭ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବର ଉଦଘାଟନ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଯୋଗଦେବେ।

ଉଦଘାଟନୀ ଅଧିବେଶନରେ ପଦ୍ମଶ୍ରୀ ଡକ୍ଟର ଅଶୋକ କୁମାର ମହାପାତ୍ର ପଖାଳର ଔଷଧୀୟ ଗୁଣ ଓ ଜଗନ୍ନାଥ ସଂସ୍କୃତିରେ ଏହାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେହିପରି ପ୍ରଫେସର ଡକ୍ଟର ସିତିକଣ୍ଠ ମିଶ୍ର ଓ ସନ୍ଦୀପ ମୁଖାର୍ଜୀ ଧାନର ବିବିଧତା ଓ ପାରମ୍ପରିକ ଖାଦ୍ୟର ଆଧୁନିକ ପ୍ରାସଙ୍ଗିକତା ବିଷୟରେ ମତ ପ୍ରକାଶ କରିଥିଲେ।

ଉତ୍ସବରେ ଦୁଇଟି ବିଷୟକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ‘ମନ୍ଦିର ରୋଷେଇ ଶାଳରୁ ଘରୋଇ ଚୁଲି ପର୍ଯ୍ୟନ୍ତ’ ବିଷୟରେ ଡକ୍ଟର ସୁଧାଂଶୁ ଶେଖର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ ଓ ଅନ୍ୟମାନେ ଓଡ଼ିଆ ଖାଦ୍ୟର ସାଂସ୍କୃତିକ ଓ ଐତିହାସିକ ଯୋଗସୂତ୍ର ବିଷୟରେ ମତ ରଖିଥିଲେ। ଦ୍ୱିତୀୟ ଚକ୍ର ‘ସ୍ଥାନୀୟ ପରମ୍ପରାରୁ ବିଶ୍ୱସ୍ତରୀୟ ବ୍ରାଣ୍ଡ’ ଉପରେ କେନ୍ଦ୍ରିତ ଥିଲା, ଯେଉଁଠାରେ ଓଡ଼ିଆ ରୋଷେଇକୁ ଗ୍ଲୋବାଲ୍‌ ମାର୍କେଟରେ ପହଞ୍ଚାଇବା ପାଇଁ ନୂତନ ରଣନୀତି ଉପରେ ଆଲୋଚନା ହୋଇଥିଲା।

ସମ୍ମିଳନୀରେ ସୁଦର୍ଶନ ସାହୁ, ଡକ୍ଟର ଜି.ଏ. କୁମାର, ସ୍ୱସ୍ତି ମିଶ୍ର, ଶବନମ ଆଫ୍ରିନ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ନିଜ ମତ ପ୍ରକାଶ କରିଥିଲେ। ଶେଫ୍ ମଞ୍ଜିତ ସିଂ ଗିଲ ଓ ଡକ୍ଟର ସୁନୀତି ମୁଣ୍ଡଙ୍କ ଅଭିଭାଷଣ ଆଲୋଚନାକୁ ଅଧିକ ସମୃଦ୍ଧ କରିଥିଲା।

ଏହାସହ ଓଡ଼ିଶୀ, ସମ୍ବଲପୁରୀ, ଆଦିବାସୀ ଓ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ଖାଦ୍ୟ ଓ ସାଂସ୍କୃତିକ ଐତିହ୍ୟର ଏହି ସମନ୍ୱୟ ଦର୍ଶକମାନଙ୍କୁ ଆକୃଷ୍ଟ କରିଛି।

ଏହି ଅବସରରେ ୮୦୦-୮୫୦ କିଲୋଗ୍ରାମ ପଖାଳ ପ୍ରସ୍ତୁତ କରି ‘ସବୁଠାରୁ ବଡ଼ ଫେରମେଣ୍ଟେଡ୍ ରାଇସ୍’ ପରିବେଷଣ ମାଧ୍ୟମରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ ପାଇଁ ପ୍ରୟାସ ହେଉଛି। ‘ରବିନ୍ ହୁଡ୍ ଆର୍ମି’ ସହ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ନଷ୍ଟ ନ କରିବାର ବିଶେଷ ବ୍ୟବସ୍ଥା କରାଯାଇଛି।

ଏହି ପଖାଳ ପର୍ବ ଓଡ଼ିଶାର ଖାଦ୍ୟ ପରମ୍ପରାକୁ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପରିଚିତ କରାଇବା ଦିଗରେ ଏକ ମୁଖ୍ୟ ପଦକ୍ଷେପ ଭାବେ ଦେଖାଯାଉଛି।