ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣାକୁ ନେଇ ବିଜେଡି ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍ ପ୍ରସଙ୍ଗରେ ଦଳୀୟ ବିଧାୟକମାନେ ନିଜ ଉତ୍ତର ରଖିଛନ୍ତି।
ବିଜେଡିର ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍ ପ୍ରୟୋଗ ହୋଇନଥାଏ। ସେହିପରିସ୍ଥିତିରେ ହୁଇପ୍ ଜାରି କରିବାକୁ ବେଆଇନ ବୋଲି ସେ ଦାବି କରିଥିବା ସହ କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରିବାକୁ ଦଳକୁ ଅନୁରୋଧ କରିଛନ୍ତି। ଯଦି ଏହା ପ୍ରତ୍ୟାହାର ହେବ ନାହିଁ, ତେବେ ଆଇନଗତ ଲଢ଼େଇ ପାଇଁ ସେ ପ୍ରସ୍ତୁତ ଥିବା କଥା ମଧ୍ୟ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ। ସେମାନେ ଦଳୀୟ ନିଷ୍ପତ୍ତିକୁ ଅମାନ୍ୟ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ ଦେଇଥିବାରୁ ଦଳ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା।
ଏହା ପରେ ବିଜେଡି ପକ୍ଷରୁ ୧୭ ତାରିଖରେ ସମ୍ପୃକ୍ତ ବିଧାୟକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ, ତିନି ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଥିଲା।
ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କରିଥିବା ଏହି ନୋଟିସ୍ରେ ଉଲ୍ଲେଖ ଥିଲା ଯେ, ବିଧାୟକମାନେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ ଦଳର ବିଶ୍ୱାସକୁ ଧୋକା ଦେଇଛନ୍ତି। ଏଥିପାଇଁ ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ—ଯଥା ନିଲମ୍ବନ କିମ୍ବା ସଦସ୍ୟତା ରଦ୍ଦ—ନେଇ ଯାଇନହେବ, ସେଥିରେ ସ୍ପଷ୍ଟୀକରଣ ଚାହାଯାଇଥିଲା।
ଦଳ ଭିତରେ ଏହି ପ୍ରସଙ୍ଗକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା। କେତେକ ନେତା ତୁରନ୍ତ କଠୋର ପଦକ୍ଷେପ ନେବା ପକ୍ଷରେ ମତ ଦେଇଥିବା ବେଳେ, ଅନ୍ୟମାନେ ଆଇନଗତ ପରାମର୍ଶ ନେଇ ପରବର୍ତ୍ତୀ ପଦକ୍ଷେପ ନେବାକୁ ସୁପାରିଶ କରିଥିଲେ।
ଶେଷରେ, ସମସ୍ତ ଦିଗରୁ ବିଚାର କରି ୬ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଆଇନଗତ ପଥ ଅନୁସରଣ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।





