ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ପରିସ୍ଥିତି ଓ Strait of Hormuz ଅବରୋଧ ଯୋଗୁଁ ବିଶ୍ୱ ତୈଳ ବଜାରରେ ଭୟଙ୍କର ଅସ୍ଥିରତା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷିତରେ International Energy Agency (ଆଇଇଏ) ଇନ୍ଧନ ସଞ୍ଚୟ ପାଇଁ ଏକ ଜରୁରୀକାଳୀନ ମାର୍ଗଦର୍ଶିକା ଜାରି କରିଛି, ଯାହାକୁ ନେଇ ଏବେ ‘ଲକଡାଉନ୍ ଭଳି ପରିସ୍ଥିତି’ ପୁଣି ଫେରିବ କି ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି।

ଆଇଇଏର ଏହି ‘ପ୍ଲେ-ବୁକ୍’ ଅନୁଯାୟୀ, ଇନ୍ଧନ ବ୍ୟବହାର କମାଇବା ପାଇଁ ଲୋକମାନଙ୍କୁ ସପ୍ତାହକୁ କମ୍ ସେ କମ୍ ୩ ଦିନ ଘରୁ କାମ କରିବା (ୱାର୍କ ଫ୍ରମ୍ ହୋମ୍), ବିମାନ ଯାତ୍ରା ସୀମିତ କରିବା, ସାର୍ବଜନୀନ ପରିବହନ ବ୍ୟବହାର ବଢ଼ାଇବା ଓ ରାଜପଥରେ ଯାନବାହନର ବେଗ ସୀମା କମ କରିବା ଭଳି ୧୦ଟି ପଦକ୍ଷେପ ପ୍ରସ୍ତାବ ଦିଆଯାଇଛି। ଏହା ମାଧ୍ୟମରେ ପ୍ରାୟ ୬ ପ୍ରତିଶତ ପର୍ଯ୍ୟନ୍ତ ତୈଳ ବ୍ୟବହାର କମାଯାଇପାରିବ ବୋଲି ଆକଳନ କରାଯାଇଛି।

ଏହା ସହିତ IranIsrael ମଧ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ତୈଳ ଯୋଗାଣ ବ୍ୟବସ୍ଥା ଭାରି ପ୍ରଭାବିତ ହୋଇଛି। ହର୍ମୁଜ ପ୍ରଣାଳୀ ମାର୍ଗରେ ବହୁ ଦେଶକୁ ତୈଳ ପ୍ରାପ୍ତି ହେଉଥିବାରୁ ଏହାର ବାଧା ବିଶ୍ୱ ଅର୍ଥନୀତିକୁ ଅସ୍ଥିର କରିଦେଇଛି।

ଆଇଇଏ ତାଙ୍କ ମାର୍ଗଦର୍ଶିକାରେ Delhi ରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ‘ଅଡ୍-ଇଭେନ୍’ ନିୟମକୁ ମଧ୍ୟ ଉଦାହରଣ ଭାବେ ଦେଇଛି। ଏହା ସହ କାରପୁଲିଂ, ଟାୟାର ପ୍ରେସର ଠିକ୍ ରଖିବା ଓ ଏସି ବ୍ୟବହାର କମ କରିବାକୁ ପରାମର୍ଶ ଦିଆଯାଇଛି।

ତେବେ ଏହି ପଦକ୍ଷେପଗୁଡ଼ିକୁ ନେଇ ସୋସିଆଲ ମିଡିଆରେ ବିପୁଳ ପ୍ରତିକ୍ରିୟା ଦେଖାଯାଇଛି। ଅନେକ ଲୋକ ଏହାକୁ COVID-19 ସମୟର ଲକଡାଉନ ସହ ତୁଳନା କରି ଅସନ୍ତୋଷ ପ୍ରକାଶ କରୁଛନ୍ତି। ସାଧାରଣ ଲୋକଙ୍କ ମତରେ, ଯୁଦ୍ଧ ପରିସ୍ଥିତିର ପ୍ରଭାବ ଭୋଗିବାକୁ ପୁଣିଥରେ ଜନସାଧାରଣକୁ ବାଧ୍ୟ କରାଯାଉଛି।

ତଥାପି ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପଗୁଡ଼ିକ ବାଧ୍ୟତାମୂଳକ ନୁହେଁ, ବରଂ ପରିସ୍ଥିତି ଅନୁଯାୟୀ ଦେଶଗୁଡ଼ିକ ପାଇଁ ଏକ ପରାମର୍ଶମୂଳକ ମାର୍ଗଦର୍ଶନ ମାତ୍ର। ତେଣୁ ତତ୍କାଳୀନ ଭାବେ ଭାରତରେ ପୂର୍ଣ୍ଣ ଲକଡାଉନ୍ ଫେରିବା ସମ୍ଭାବନା ଅତ୍ୟନ୍ତ କମ୍, କିନ୍ତୁ ଇନ୍ଧନ ସଞ୍ଚୟ ପାଇଁ କିଛି ନିୟମ ଆଗାମୀ ଦିନରେ ଲାଗୁ ହେବାର ସମ୍ଭାବନାକୁ ନାକଚ କରାଯାଇପାରିବ ନାହିଁ।