ଯାଜପୁର: ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ଶଙ୍ଖାରିଡିହ ନିକଟ ଜାତୀୟ ରାଜପଥ-୧୬ରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଜଣେ ଦଂପତି ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ୪ ବର୍ଷର ଶିଶୁକନ୍ୟା ଆରାଧ୍ୟା ପିତା-ମାତାଙ୍କୁ ହରାଇ ଏକାକୀ ହୋଇପଡ଼ିଛି।

ମୃତକ ଦଂପତି ହେଲେ ସିହା ଗ୍ରାମର ସୁବ୍ରତ ସାହୁ (୩୬) ଓ ତାଙ୍କ ଗର୍ଭବତୀ ପତ୍ନୀ ଅନ୍ନପୂର୍ଣ୍ଣା ପାଳ (୩୦)। ସୂଚନା ଅନୁଯାୟୀ, ଗର୍ଭବତୀ ଅନ୍ନପୂର୍ଣ୍ଣାଙ୍କ ନିୟମିତ ଚେକ୍‌ଅପ୍ ପାଇଁ ଦୁହେଁ ତାଙ୍କ ଶିଶୁକନ୍ୟା ସହ ଜାରକାକୁ ଯାଇଥିଲେ। ଚିକିତ୍ସା ସରି ଫେରୁଥିବାବେଳେ ସ୍କୁଟିରେ ଚଣ୍ଡିଖୋଲ ଦିଗକୁ ଆସୁଥିବା ସମୟରେ ଦୁର୍ଘଟଣା ଘଟିଥିଲା।

ଏକ ବେଗବାନ କାର୍‌ ସ୍କୁଟିକୁ ଧକ୍କା ଦେଇଥିବାରୁ ତିନିଜଣ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଡାକ୍ତର ସୁବ୍ରତ, ଅନ୍ନପୂର୍ଣ୍ଣା ଓ ଗର୍ଭସ୍ଥ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣାରେ ଜଡିତ କାର୍‌ଟି ପଶ୍ଚିମବଙ୍ଗର ଥିବା ସୂଚନା ମିଳିଛି। ପୁଲିସ ଗାଡ଼ିଟିକୁ ଜବତ କରିଥିବା ସହ ଚାଳକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ପଡ଼ିଛି। ଦୁହେଁ ପରିବାରରେ ଦୁଃଖର ମାହୋଳ ରହିଥିବାବେଳେ, ଛୋଟ ଆରାଧ୍ୟାର ଭବିଷ୍ୟତ୍‌କୁ ନେଇ ସମସ୍ତେ ଚିନ୍ତିତ ହେଉଛନ୍ତି।