ତେହେରାନ: ମିନାବରେ ଥିବା ଏକ ବିଦ୍ୟାଳୟ ଉପରେ ହୋଇଥିବା ମିସାଇଲ୍ ଆକ୍ରମଣକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ତିବ୍ର ତଣାତଣି ସୃଷ୍ଟି ହୋଇଛି। ଏହି ଘଟଣାରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ଘଟିଥିବା ଇରାନ ଦାବି କରିଥିବା ବେଳେ, ଦୁଇଜଣ ଆମେରିକୀୟ ନୌସେନା ଅଧିକାରୀଙ୍କୁ ଦାୟୀ ବୋଲି ସର୍ବସାଧାରଣରେ ଚିହ୍ନଟ କରାଯାଇଛି।

ଭାରତ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆରେ ଥିବା ଇରାନ ଦୂତାବାସମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ଅଧିକାରୀମାନଙ୍କ ଫଟୋ ଓ ନାମ ପ୍ରକାଶ କରିଛନ୍ତି। ସେମାନେ ହେଲେ କମାଣ୍ଡିଂ ଅଫିସର ଲେ ଆର୍ ଟେଟ୍ ଓ ୟୁଏସଏସ୍ ସ୍ପ୍ରୁଆନ୍ସର କାର୍ଯ୍ୟନିର୍ବାହୀ ଅଧିକାରୀ ଜେଫ୍ରି ଇ ୟର୍କ। ଇରାନର ଅଭିଯୋଗ ଅନୁଯାୟୀ, ଏହି ଦୁଇଜଣ ତିନିଥର ଟୋମାହକ୍ କ୍ଷେପଣାସ୍ତ୍ର ମାଡ଼କୁ ଅନୁମୋଦନ କରିଥିଲେ, ଯାହା ଫେବୃଆରି ୨୮ର ଆକ୍ରମଣକୁ ଜନ୍ମ ଦେଇଥିଲା।

ଇରାନ ଦୂତାବାସମାନେ ସେମାନଙ୍କ ପୋଷ୍ଟରେ ଏହି ଘଟଣାକୁ ନେଇ କଠୋର ମତ ପ୍ରକାଶ କରିଥିବା ବେଳେ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆରେ ଥିବା ଦୂତାବାସମାନେ ମଧ୍ୟ ଏହାକୁ ନେଇ ନୈତିକ ପ୍ରଶ୍ନ ଉଠାଇଛନ୍ତି।

ଏପରି ସମୟରେ, ଜେନେଭାରେ ଆୟୋଜିତ ଏକ ଜରୁରୀ ବିତର୍କ ସଭାରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ଏହି ଆକ୍ରମଣକୁ ଯୁଦ୍ଧର ପ୍ରଥମ ଦିନରେ ହୋଇଥିବା ନୃଶଂସ ଘଟଣା ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଏହି ଆକ୍ରମଣରେ ଅନେକ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ ଘଟିଛି।

ଅନ୍ୟପଟେ, ଆମେରିକା ପକ୍ଷରୁ ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା ସୂଚନା ମିଳିଛି। କିଛି ଆନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ଲକ୍ଷ୍ୟବସ୍ତୁ ଭୁଲ୍ ଚିହ୍ନଟ ହେବା କିମ୍ବା ପୁରୁଣା ମ୍ୟାପିଂ ତଥ୍ୟ ବ୍ୟବହାର ହେବାରୁ ଏହି ଦୁର୍ଘଟଣା ଘଟିଥାଇପାରେ।

ଆମେରିକୀୟ ସାମରିକ କର୍ତ୍ତୃପକ୍ଷ କହିଛନ୍ତି ଯେ, ସେମାନେ କେବେ ବି ସିଭିଲିଆନ୍ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରୁନାହାନ୍ତି ଏବଂ ଏହି ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ସମ୍ପୂର୍ଣ୍ଣ ତଦନ୍ତ ଚାଲିଛି।