ବାଲୁଗାଁ: INS Chilka ରେ ତାଲିମ ନେଉଥିବା ଜଣେ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ପ୍ରଶିକ୍ଷଣ ସମ୍ପର୍କିତ ଚାପ ଓ ମାନସିକ ଅସୁବିଧା ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।
ମୃତ ଅଗ୍ନିବୀରଙ୍କ ପରିଚୟ କାର୍ତ୍ତିକ ଯାଦବ (୧୯) ଭାବେ ହୋଇଛି। ସେ Uttar Pradesh ର Meerut ଜିଲ୍ଲାର ମହମ୍ମଦପୁର ଭୌମି ଗ୍ରାମର ବାସିନ୍ଦା। ପ୍ରାୟ ଚାରି ମାସ ପୂର୍ବରୁ ସେ ଚିଲିକା ନୌସେନା କେନ୍ଦ୍ରରେ ଅଗ୍ନିବୀର ଭାବେ ତାଲିମ ନେବାକୁ ଯୋଗ ଦେଇଥିଲେ।
ସହପ୍ରଶିକ୍ଷାର୍ଥୀମାନଙ୍କ କହିବା ଅନୁଯାୟୀ, କାର୍ତ୍ତିକ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ ଓ ଅଧିକାଂଶ ସମୟ ହୋଷ୍ଟେଲରେ ଅଲଗା ରହୁଥିଲେ। ସେ ନିଜ ପରିବାରକୁ ମଧ୍ୟ ଚାକିରି ଛାଡ଼ିବା ବିଷୟରେ କହିଥିବା ସୂଚନା ମିଳିଛି।
ବୁଧବାର ମଧ୍ୟାହ୍ନରେ ଅନ୍ୟ ଅଗ୍ନିବୀରମାନେ ପ୍ରଶିକ୍ଷଣକୁ ଯାଇଥିବା ବେଳେ କାର୍ତ୍ତିକ ବାରାକ୍ରେ ରହିଯାଇଥିଲେ। ପରେ ସେଠାରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣା ପରେ ବିଭାଗୀୟ ଅଧିକାରୀମାନେ ଓ ସ୍ଥାନୀୟ ପୁଲିସ ସ୍ଥଳରେ ପହଞ୍ଚିଥିଲେ।
ନାଭାଲ୍ ଫାଣ୍ଡି ପୁଲିସ ମୃତଦେହକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି ଏବଂ ଘଟଣାର ସବିଶେଷ ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।





