କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଭୋଟର ତାଲିକାକୁ ନେଇ ବିବାଦ ତୀବ୍ର ହୋଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ Mamata Banerjee ଅଭିଯୋଗ କରିଛନ୍ତି ଯେ, କ୍ଷମତା ଦଖଲ କରିବା ଉଦ୍ଦେଶ୍ୟରେ ବିଜେପି ପ୍ରାୟ ୯୦ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ ତାଲିକାରୁ କାଟିଦେଇଛି।
ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ସେ କହିଥିଲେ ଯେ, ଏହି ଘଟଣା ଗଣତନ୍ତ୍ର ପାଇଁ ଗଭୀର ଚିନ୍ତାର ବିଷୟ। ଯେଉଁମାନଙ୍କ ନାଁ ତାଲିକାରୁ ବାହାର କରାଯାଇଛି, ସେମାନଙ୍କୁ ପୁଣିଥରେ ତାଲିକାରେ ଯୋଡିବା ପାଇଁ ତାଙ୍କ ଦଳ ଆଇନୀ ପଦକ୍ଷେପ ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେ ଆହୁରି କହିଛନ୍ତି, “ଆପଣମାନେ ୯୦ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ କାଟିଦେଲେ ମଧ୍ୟ ଆମେ ନିର୍ବାଚନ ଜିତିବୁ।” ଏହା ସହିତ ସେ ଦଳର ଜୟ ନେଇ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।
ଏସ୍ଆଇଆର ପ୍ରକ୍ରିୟା ଶେଷ ହେବା ପରେ ପ୍ରାୟ ୯୧ ଲକ୍ଷ ଭୋଟରଙ୍କ ନାଁ ତାଲିକାରୁ କାଟାଯାଇଥିବା ଖବର ପ୍ରକାଶ ପାଇଥିବା ବେଳେ, ଏହାକୁ ନେଇ ମମତାଙ୍କ ପକ୍ଷରୁ ଏହି କଢ଼ା ପ୍ରତିକ୍ରିୟା ଆସିଛି।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗଳା ଭାଷା କଥାହୁଏଥିବା ଲୋକଙ୍କୁ ଅନ୍ୟାୟଭାବେ ‘ଅନୁପ୍ରବେଶକାରୀ’ ବୋଲି ଟ୍ୟାଗ୍ କରାଯାଉଛି।
ଉଲ୍ଲେଖନୀୟ ଯେ, ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଓ ୨୯ ତାରିଖରେ ଦୁଇ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ମେ ୪ ତାରିଖରେ ମତଗଣନା ହେବ।





