ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ଚଳାଚଳ କରୁଥିବା କ୍ରୁଜ୍ ଜାହାଜ ଏମ୍ଭି ହୋଣ୍ଡିୟସରେ ହଂତା ଭାଇରସ୍ ସଂକ୍ରମଣ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି। ଏହି ଜାହାଜରେ ଦୁଇ ଜଣ ଭାରତୀୟ ନାଗରିକ ଥିବା ସୂଚନା ମିଳିଛି। ବିବିସି ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୫ଟି ସଂକ୍ରମଣ ମାମଲା ନିଶ୍ଚିତ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ନେଦରଲ୍ୟାଣ୍ଡର ଲିଡେନ୍ ୟୁନିଭର୍ସିଟି ମେଡିକାଲ୍ ସେଣ୍ଟରର ଡାକ୍ତର କାରିନ୍ ଏଲେନ୍ ଭେଲ୍ଡକ୍ୟାମ୍ପ କହିଛନ୍ତି ଯେ, ହଂତା ଭାଇରସ୍ କରୋନା ଭଳି ଦ୍ରୁତ ଗତିରେ ମଣିଷରୁ ମଣିଷକୁ ବ୍ୟାପେ ନାହିଁ। ସଂକ୍ରମଣ ଆଶଙ୍କା ଥିବା ରୋଗୀଙ୍କୁ ପୃଥକ ଆଇସୋଲେସନ୍ ରୁମ୍ରେ ରଖାଯାଇ ତାଲିମପ୍ରାପ୍ତ କର୍ମଚାରୀଙ୍କ ନଜରଦାରିରେ ଚିକିତ୍ସା କରାଯାଉଛି। ଅବସ୍ଥା ସୁଧାର ହେବା ପରେ ପୁନଃ ପରୀକ୍ଷା କରାଯାଇ ରିପୋର୍ଟ ନେଗେଟିଭ୍ ଆସିଲେ ଆଇସୋଲେସନ୍ ହଟାଯାଏ।
ହାର୍ଭାର୍ଡର ପ୍ରଫେସର ଆଲେନଙ୍କ ଅନୁସାରେ, ହଂତା ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରାୟ ୪୦ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖାଯାଇଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଅନୁଯାୟୀ, ଏହି ଘଟଣାରେ “ଆଣ୍ଡିଜ୍ ଷ୍ଟ୍ରେନ୍” ସଂକ୍ରମଣ ସନ୍ଦେହ କରାଯାଉଛି। ଏହି ଷ୍ଟ୍ରେନ୍ ମୁଖ୍ୟତଃ ଦକ୍ଷିଣ ଆମେରିକାର ଆର୍ଜେଣ୍ଟିନା ଓ ଚିଲିରେ ଦେଖାଯାଏ। ସାଧାରଣତଃ ଏହା ସଂକ୍ରମିତ ମୂଷା କିମ୍ବା ସେମାନଙ୍କର ଲାଳ, ପରିସ୍ରା ଓ ମଳ ମାଧ୍ୟମରେ ବ୍ୟାପିଥାଏ। କେତେକ ଘଟଣାରେ ଏହା ମଣିଷରୁ ମଣିଷକୁ ମଧ୍ୟ ସଂକ୍ରମିତ ହୋଇପାରେ, ଯଦିଓ କରୋନା ଭଳି ଦ୍ରୁତ ଗତିରେ ନୁହେଁ।
ଏହି ପରିସ୍ଥିତି ମଧ୍ୟରେ ଆଇସିଏମ୍ଆର୍ର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ନିର୍ଦ୍ଦେଶକ ଡା. ନବୀନ କୁମାର କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ କୌଣସି ତୁରନ୍ତ ଜନସ୍ୱାସ୍ଥ୍ୟ ବିପଦ ନାହିଁ। ସେ କହିଛନ୍ତି ଯେ, ଭାରତରେ ଏପର୍ଯ୍ୟନ୍ତ ହଂତା ଭାଇରସ୍ ସଂକ୍ରମଣର ପ୍ରମାଣ ମିଳିନାହିଁ।
ଡା. କୁମାରଙ୍କ କହିବା ଅନୁଯାୟୀ, ଲୋକମାନେ ମୂଷାର ପରିସ୍ରା, ଲାଳ କିମ୍ବା ମଳର କଣିକା ଶ୍ୱାସରେ ନେବା ଦ୍ୱାରା ସଂକ୍ରମିତ ହୋଇପାରନ୍ତି। ବିଶେଷକରି ଗୋଦାମ, ଜାହାଜ, ଖଳା କିମ୍ବା ଖରାପ ବାୟୁ ଚଳାଚଳ ଥିବା ବନ୍ଦ ସ୍ଥାନରେ ଏହି ବିପଦ ଅଧିକ ଥାଏ। ସେ ଲୋକଙ୍କୁ ଅନାବଶ୍ୟକ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି।




