ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଦାଦେଉଳିଆ ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଗଦାଦେଉଳିଆ ପେଟ୍ରୋଲ ପମ୍ପ ମାଲିକାଣୀ କମଳା ତିରିଆଙ୍କ ବୋହୂଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ଦୁଇଜଣ ସଦସ୍ୟ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ କମଳା ତିରିଆ, ତାଙ୍କ ପୁଅ ଅଭିଷେକ ଏବଂ ବୋହୂ ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଜ କାର୍ (OD11AA-8181) ଯୋଗେ ବାରିପଦା ଫେରୁଥିଲେ। ଗଦାଦେଉଳିଆ ଛକ ନିକଟରେ ପଛପଟୁ ଏକ ଟ୍ରେଲର ତାଙ୍କ କାରକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଡିଭାଇଡରରେ ପିଟି ହୋଇଯାଇଥିଲା।
ଦୁର୍ଘଟଣାରେ କମଳା ତିରିଆ, ପୁଅ ଅଭିଷେକ ଏବଂ ଗର୍ଭବତୀ ବୋହୂ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ରେମୁଣା ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର କମଳାଙ୍କ ବୋହୂଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଖବର ପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରେଲର ସମ୍ପର୍କରେ ଅଧିକ ଖୋଳତାଡ଼ ଜାରି ରହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




