ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ଦିବଂଗତ ନେତା ମୁଲାୟମ ସିଂ ଯାଦବଙ୍କ ପୁଅ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା। ବୁଧବାର ସକାଳେ ଲକ୍ଷ୍ନୌ ସିଭିଲ୍ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୬ଟା ୧୫ ମିନିଟ ସମୟରେ ପରିବାର ଲୋକେ ପ୍ରତୀକଙ୍କୁ ଗୁରୁତର ଅବସ୍ଥାରେ ସିଭିଲ୍ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ‘ବ୍ରଟ୍ ଡେଡ୍’ ବା ମୃତ ଘୋଷଣା କରିଥିଲେ। ସେହି ସମୟରେ ତାଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବ ସେଠାରେ ଉପସ୍ଥିତ ନଥିଲେ।
ପ୍ରତୀକଙ୍କ ଶରୀରରେ କୌଣସି ବାହ୍ୟ ଆଘାତର ଚିହ୍ନ ନାହିଁ। କିନ୍ତୁ ସେ ଦୀର୍ଘ ଦିନ ଧରି ଫୁସଫୁସ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ତାଙ୍କ ଫୁସଫୁସରେ ରକ୍ତ ଜମାଟ ବାନ୍ଧିଥିବାରୁ ସେ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିରେ (KGMU) ଏକ ଡାକ୍ତରୀ ଟିମ୍ ବ୍ୟବଚ୍ଛେଦ କଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ପ୍ରତୀକ ଯାଦବ ନିକଟରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ। ପତ୍ନୀ ଅପର୍ଣ୍ଣାଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିବା ଏବଂ ସେ ଛାଡ଼ପତ୍ର ଚାହୁଁଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେବେ କିଛି ଦିନ ପରେ ପୁଣି ସବୁକିଛି ଠିକ୍ ହୋଇଯାଇଥିବା ସେ ସୂଚନା ଦେଇଥିଲେ।
୨୦୧୧ ମସିହାରେ ପ୍ରତୀକ ଓ ଅପର୍ଣ୍ଣା ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ପ୍ରତୀକଙ୍କ ଅକାଳ ବିୟୋଗରେ ଯାଦବ ପରିବାର ଏବଂ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।




