ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ସଙ୍କେତ ମିଳିଛି। ଯଦି ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଓ ରାଜନୈତିକ ଅସ୍ଥିରତା ଦୀର୍ଘ ସମୟ ଧରି ଜାରି ରହେ, ତେବେ ସରକାର ଖୁଚୁରା ଇନ୍ଧନ ଦର ବୃଦ୍ଧି କରିବାକୁ ବାଧ୍ୟ ହୋଇପାରନ୍ତି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି।
ସୁଇଜରଲ୍ୟାଣ୍ଡରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ମାଲହୋତ୍ରା କହିଛନ୍ତି ଯେ, ସରକାର ଏପର୍ଯ୍ୟନ୍ତ ଆର୍ଥିକ ଶୃଙ୍ଖଳା ରକ୍ଷା କରି ଦର ବୃଦ୍ଧି କରିନାହାନ୍ତି। ମାତ୍ର ମଧ୍ୟପ୍ରାଚ୍ୟ ସଂଘର୍ଷ ଏବଂ ହରମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବିଶ୍ୱ ବଜାରରେ ତେଲ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ଶକ୍ତି ମୂଲ୍ୟ କ୍ରମାଗତ ଭାବେ ବଢୁଛି।
“ଭାରତ ଶକ୍ତି ଏବଂ ସାର ଆମଦାନୀ ଉପରେ ବହୁମାତ୍ରାରେ ନିର୍ଭରଶୀଳ। ଯଦି ଏହି ସଙ୍କଟ ଦୀର୍ଘସ୍ଥାୟୀ ହୁଏ, ତେବେ ବର୍ଦ୍ଧିତ ମୂଲ୍ୟର କିଛି ଅଂଶ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବା କେବଳ ସମୟର କଥା।”
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀ ୨୮ରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଭାରତ ସରକାର ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନାହାନ୍ତି। ମାତ୍ର ଅନ୍ତର୍ଜାତୀୟ ଚାପ ଯୋଗୁଁ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ ହ୍ରାସ ପାଇଛି ଏବଂ ଏହା ବର୍ତ୍ତମାନ ଡଲାର ତୁଳନାରେ ୯୫ ଟଙ୍କା ତଳକୁ ଖସି ଆସିଛି।
ବୈଦେଶିକ ମୁଦ୍ରା ସଞ୍ଚୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କେତେକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବିଶେଷ କରି ଇନ୍ଧନ ଏବଂ ଖାଇବା ତେଲର ବ୍ୟବହାର କମାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ହରମୁଜ ପ୍ରଣାଳୀ ଦେଇ ବିଶ୍ୱର ଏକ ବଡ଼ ଭାଗ ଅଶୋଧିତ ତୈଳ ପରିବହନ ହୁଏ, ଯାହା ବର୍ତ୍ତମାନ ବିପଦରେ। ଟଙ୍କାର ମୂଲ୍ୟ କମିବା ଫଳରେ ଅଧିକ ଟଙ୍କା ଦେଇ ତେଲ କିଣିବାକୁ ପଡ଼ୁଛି। ବଜାରରେ ଅଶୋଧିତ ତୈଳ ଦର ବଢ଼ିଲେ ଭାରତରେ ଏହାର ପ୍ରଭାବ ପଡ଼ିବା ସ୍ୱାଭାବିକ।
ଏହି ସ୍ଥିତି ଉପରେ ସରକାର ଏବଂ ଆରବିଆଇ ନିରନ୍ତର ନଜର ରଖିଛନ୍ତି। ଯଦି ଯୁଦ୍ଧ ନଥମେ, ତେବେ ଖୁବଶୀଘ୍ର ସାଧାରଣ ଜନତାଙ୍କ ପକେଟ୍ ଉପରେ ଏହାର ବୋଝ ପଡ଼ିପାରେ।




