ଭୁବନେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ସଂସ୍ଥାର ସହଭାଗିତାକୁ ନେଇ ଭାରତ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR)ରୁ ଘରୋଇ ପ୍ରତିରକ୍ଷା କମ୍ପାନୀ ‘ନିବେ ଲିମିଟେଡ୍’ (Nibe Limited) ଦ୍ୱାରା ନିର୍ମିତ ଦୂରଗାମୀ ରକେଟ୍ ‘ସୂର୍ଯ୍ୟାସ୍ତ୍ର’ (Suryastra)ର ସଫଳ ପରୀକ୍ଷଣ ହୋଇଯାଇଛି।ଏହି ପରୀକ୍ଷଣରେ ସୂର୍ଯ୍ୟାସ୍ତ୍ରର ଦୁଇଟି ଭିନ୍ନ ସଂସ୍କରଣର ଟ୍ରାଏଲ୍ କରାଯାଇଥିଲା।
ଗୋଟିଏ ରକେଟ୍ର ଲକ୍ଷ୍ୟଭେଦ କ୍ଷମତା ୧୫୦ କିଲୋମିଟର ଥିବାବେଳେ ଅନ୍ୟଟିର କ୍ଷମତା ୩୦m କିଲୋମିଟର ରହିଛି। ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା କ୍ରୟ ଅର୍ଡର ଆଧାରରେ ଏହି ଟ୍ରାଏଲ୍ କରାଯାଇଛି।
ଏହି ପରୀକ୍ଷଣରେ ରକେଟ୍ର ସଠିକତା (Accuracy) ସମସ୍ତଙ୍କୁ ଚକିତ କରିଛି। ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ:
୧୫୦ କିମି ସଂସ୍କରଣ: ଏହାର ସିଇପି (Circular Error Probable – ଲକ୍ଷ୍ୟସ୍ଥଳରୁ ସାମାନ୍ୟ ଦୂରତା) ମାତ୍ର ୧.୫ ମିଟର ରେକର୍ଡ କରାଯାଇଛି।
୩୦୦ କିମି ସଂସ୍କରଣ: ଏହାର ସିଇପି ମାତ୍ର ୨ ମିଟର ରହିଛି।
ସିଇପି (CEP) କ’ଣ?
ପ୍ରତିରକ୍ଷା ବିଜ୍ଞାନ ଭାଷାରେ ସିଇପି ଯେତେ କମ୍ ହେବ, ରକେଟ୍ ନିଜ ନିର୍ଦ୍ଧାରିତ ଲକ୍ଷ୍ୟକୁ ସେତେ ସଠିକ୍ ଭାବେ ଧ୍ୱଂସ କରିପାରିବ। ସୂର୍ଯ୍ୟାସ୍ତ୍ରର ଏହି ରେକର୍ଡ ଦର୍ଶାଉଛି ଯେ ଏହା ଅତି ସୂକ୍ଷ୍ମ ଭାବେ ଶତ୍ରୁ ଘାଟିକୁ ଚିହ୍ନଟ କରି ନଷ୍ଟ କରିପାରିବ।ଏହି ସଫଳ ଟ୍ରାଏଲ୍ ପରେ ସୂର୍ଯ୍ୟାସ୍ତ୍ର ରକେଟ୍ ସିଷ୍ଟମ୍ ଏକ ଶକ୍ତିଶାଳୀ ଦୂରଗାମୀ ଅସ୍ତ୍ର ଭାବେ ପ୍ରମାଣିତ ହୋଇଛି। ଏହା ସେନା ନିକଟରେ ପୂର୍ବରୁ ଥିବା ଟାକଟିକ୍ ବାଲିଷ୍ଟିକ୍ ଏବଂ କ୍ରୁଜ୍ ମିସାଇଲ୍ର କ୍ଷମତାକୁ ଆହୁରି ଦ୍ଵିଗୁଣିତ କରିବ।ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ବିକାଶକୁ ସ୍ୱାଗତ କରି କହିଛନ୍ତି ଯେ, ଏଭଳି ଦୂରଗାମୀ ରକେଟ୍ ଆର୍ଟିଲାରୀକୁ ଭାରତୀୟ ବାୟୁସେନା (IAF)ର ଆକ୍ରମଣାତ୍ମକ କାଉଣ୍ଟର-ଏୟାର ଅପରେସନ୍ ସହ ସାମିଲ କରାଗଲେ ସୀମାନ୍ତରେ ଭାରତର ସାମରିକ ସକ୍ଷମତା ବହୁଗୁଣ ପୃଦ୍ଧି ପାଇବ।
ଘରୋଇ ପ୍ରତିରକ୍ଷା ଶିଳ୍ପ ଦ୍ୱାରା ଏଭଳି ଅତ୍ୟାଧୁନିକ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ବିକାଶ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆହୁରି ମଜବୁତ କରିବାରେ ଏକ ବଡ଼ ପଦକ୍ଷେପ।




