ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବାଲିଶଙ୍କରା ବ୍ଲକରେ ଆଜି ମଧ୍ୟ ଅନେକ ପରିବାରଙ୍କ ଜୀବନ ଓ ଜୀବିକା ଜଙ୍ଗଲ ଉପରେ ନିର୍ଭରଶୀଳ ରହିଛି। ବ୍ଲକର ୧୯ଟି ପଞ୍ଚାୟତ ମଧ୍ୟରୁ ଅଧାରୁ ଅଧିକ ଅଞ୍ଚଳରେ ଆଦିବାସୀ ଓ ବନବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବାବେଳେ କେତେକ ଗାଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଘନ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ। ଚାଷବାସ ଓ ଦିନମଜୁରୀ ସହିତ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଏହି ଅଞ୍ଚଳର ଲୋକଙ୍କ ପାଇଁ ପ୍ରମୁଖ ଆର୍ଥିକ ଆଧାର ହୋଇପାରିଛି।
ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହ ମାର୍ଚ୍ଚରୁ ଜୁନ୍ ମାସ ପର୍ଯ୍ୟନ୍ତ ପ୍ରାୟ ଚାରି ମାସ ଧରି ବନବାସୀମାନେ ଜଙ୍ଗଲରୁ ମହୁଲ, ଚାର, ଝୁଣା, ତେନ୍ତୁଳି, ଟୋଲ ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ଏହି ଦ୍ରବ୍ୟ ବିକ୍ରୟରୁ ମିଳୁଥିବା ଟଙ୍କାରେ ସେମାନଙ୍କ ପରିବାର ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ଜୀବିକା ଚାଲାଇଥାଏ। କିନ୍ତୁ ଦୁଃଖର ବିଷୟ, ପରିଶ୍ରମର ଯଥାର୍ଥ ମୂଲ୍ୟରୁ ଏହି ଆଦିବାସୀମାନେ ଆଜି ମଧ୍ୟ ବଞ୍ଚିତ ହେଉଛନ୍ତି।
ସରକାରଙ୍କ ପକ୍ଷରୁ ନ୍ୟୁନତମ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କିଛି ମୁନାଫାଖୋର ବେପାରୀ ଅତ୍ୟନ୍ତ କମ ଦରରେ ଜଙ୍ଗଲ ଜାତ ଦ୍ରବ୍ୟ କ୍ରୟ କରୁଥିବା ଅଭିଯୋଗ ହେଉଛି। ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଆସୁଥିବା ବେପାରୀମାନେ ଓଡ଼ିଶା ସୀମା ସଂଲଗ୍ନ କୁରେଇ, ଶାଗବାହାଲ, ଲୁଲକିଡିହି ଓ ବ୍ରାହ୍ମଣମରା ପରି ସାପ୍ତାହିକ ହାଟରେ ପସରା ମେଲାଇ ମହୁଲଫୁଲ, ସରଗିଫୁଲ, ଆମ୍ବଚୁର ସହ ବିଭିନ୍ନ ବନଜାତ ଦ୍ରବ୍ୟ କମ ଦରରେ କିଣି ନେଉଛନ୍ତି। କେତେକ ସ୍ଥାନରେ ଦ୍ରବ୍ୟ ବଦଳରେ ଲୁଣ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦେଇ ଆଦିବାସୀମାନଙ୍କୁ ଠକାଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ଅଶିକ୍ଷା, ସଚେତନତାର ଅଭାବ ଓ ବଜାର ବ୍ୟବସ୍ଥା ସମ୍ପର୍କରେ ଅଜ୍ଞତା ଯୋଗୁଁ ନିରୀହ ବନବାସୀମାନେ ବାଧ୍ୟ ହୋଇ ନିଜ ପରିଶ୍ରମର ଫଳକୁ ଅତ୍ୟନ୍ତ କମ ଦାମରେ ବିକ୍ରୟ କରୁଛନ୍ତି। ଏହି ପରିସ୍ଥିତିକୁ ନେଇ ସମାଜସେବୀ ସଂଗଠନ “ଉପାୟ”ର ସାମାଜିକ କର୍ମୀ ମନୋଜ କୁମାର ଦାନୀ ଚିନ୍ତା ପ୍ରକାଶ କରି ସରକାରଙ୍କ ନିକଟରେ ଦାବି ରଖିଛନ୍ତି ଯେ, ଗ୍ରାମସ୍ତରରେ ସରକାରୀ କ୍ରୟ କେନ୍ଦ୍ରକୁ ସକ୍ରିୟ କରାଯାଉ ଏବଂ ବନବାସୀମାନଙ୍କ ପାଇଁ ସିଧାସଳଖ ବଜାର ସୁବିଧା ସୃଷ୍ଟି କରାଯାଉ।
ସେ କହିଛନ୍ତି, ଜଙ୍ଗଲ କେବଳ ପ୍ରକୃତିର ସମ୍ପଦ ନୁହେଁ, ଏହା ଆଦିବାସୀ ଜୀବନର ଆଧାର। ସେମାନଙ୍କ ପରିଶ୍ରମର ନ୍ୟାୟସଂଗତ ମୂଲ୍ୟ ମିଳିଲେ ମାତ୍ର ସେମାନଙ୍କ ଜୀବନରେ ପ୍ରକୃତ ଉନ୍ନତିର ଆଲୋକ ପହଞ୍ଚିପାରିବ।




