ନବରଙ୍ଗପୁର: ନବରଙ୍ଗପୁରରେ ପୂର୍ବରୁ ନିର୍ମାଣାଧୀନ ଥିବା ବସ୍ଷ୍ଟାଣ୍ଡର କିଛି ଅଂଶ ଭଙ୍ଗାଯିବା ଏବଂ ସେହି ସ୍ଥାନରେ ନୂଆ ‘ଅଟଳ ବସ୍ଷ୍ଟାଣ୍ଡ’ ନିର୍ମାଣ ପ୍ରସ୍ତାବକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବ ପ୍ରକଳ୍ପରେ ପ୍ରାୟ ୫୮ ଲକ୍ଷ ଟଙ୍କାର କାମ ସରିଥିବା ବେଳେ ଏବେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ ଯୋଜନା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ପୂର୍ବ ସରକାରଙ୍କ ସମୟରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମୋ ବସ୍ଷ୍ଟାଣ୍ଡ’ ପ୍ରକଳ୍ପ ଅଧୀନରେ ପ୍ରାୟ ୫.୬୯ କୋଟି ଟଙ୍କା ବ୍ୟୟରେ ନବରଙ୍ଗପୁର ବସ୍ଷ୍ଟାଣ୍ଡ ନିର୍ମାଣ ଯୋଜନା ଗ୍ରହଣ କରାଯାଇଥିଲା। ୨୦୨୩ରେ କାମ ଆରମ୍ଭ ହୋଇଥିଲେ ମଧ୍ୟ ବସ୍ଷ୍ଟାଣ୍ଡ ପରିସରରେ ଥିବା ଦୋକାନ ଉଚ୍ଛେଦକୁ ନେଇ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ପ୍ରକଳ୍ପର କାର୍ଯ୍ୟ ଅଟକି ଯାଇଥିଲା। ସେତେବେଳେ ପ୍ରାୟ ୫୮ ଲକ୍ଷ ଟଙ୍କାର କାମ ସମ୍ପନ୍ନ ହୋଇଥିବା କୁହାଯାଉଛି।
ପରବର୍ତ୍ତୀ ସମୟରେ ନୂଆ ସରକାର ନବରଙ୍ଗପୁରରେ ଆଧୁନିକ ସୁବିଧା ସମ୍ପନ୍ନ ‘ଅଟଳ ବସ୍ଷ୍ଟାଣ୍ଡ’ ନିର୍ମାଣ ପାଇଁ ପ୍ରାୟ ୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନକୁ ଦିଆଯାଇଥିବା ବେଳେ ପୂର୍ବରୁ ହୋଇଥିବା ନିର୍ମାଣକୁ ଭଙ୍ଗି ନୂଆ ନକ୍ସା ଅନୁଯାୟୀ କାମ ଆରମ୍ଭ କରାଯାଇଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ସେମାନଙ୍କ ମତରେ, ପୂର୍ବରୁ ହୋଇଥିବା ନିର୍ମାଣକୁ ସମ୍ଭବ ହେଲେ ନୂଆ ପ୍ରକଳ୍ପରେ ସାମିଲ କରାଯାଇଥାନ୍ତା, ତେବେ ସରକାରୀ ଅର୍ଥର ଅପଚୟ ରୋକାଯାଇପାରୁଥାନ୍ତା। ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ସ୍ପଷ୍ଟୀକରଣ ସାମ୍ନାକୁ ଆସିନାହିଁ।
ଫେବୃଆରି ମାସରେ ହୋଇଥିବା ସମନ୍ୱୟ ବୈଠକ ପରେ ବସ୍ଷ୍ଟାଣ୍ଡ ପରିସରର ଷ୍ଟଲ୍ ମାଲିକମାନେ ନୂଆ ପ୍ରକଳ୍ପ ପାଇଁ ସହମତି ପ୍ରକାଶ କରିଥିଲେ। ପୌରପାଳିକା ସର୍ଭେ ଅନୁଯାୟୀ, ପୁରୁଣା ବସ୍ଷ୍ଟାଣ୍ଡର ୮୬ଟି ଷ୍ଟଲ୍ ମଧ୍ୟରୁ ୪୩ଟି କାର୍ଯ୍ୟକ୍ଷମ ରହିଛି।
ନୂଆ ‘ଅଟଳ ବସ୍ଷ୍ଟାଣ୍ଡ’ ଚାରି ମହଲା ବିଶିଷ୍ଟ ହେବାକୁ ଥିବା ବେଳେ ଭୂତଳରେ ସରକାରୀ ଓ ବେସରକାରୀ ବସ୍ ପାର୍କିଂ ବ୍ୟବସ୍ଥା ରହିବ। ଏହା ସହ ୧୦୦ଟି ବ୍ୟବସାୟିକ ଷ୍ଟଲ୍ ନିର୍ମାଣ ହେବ ଏବଂ ପୁରୁଣା ଷ୍ଟଲ୍ ମାଲିକଙ୍କୁ ପ୍ରାଥମିକତା ଦିଆଯିବ ବୋଲି କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇଛନ୍ତି। ପ୍ରକଳ୍ପଟିକୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି।




