ତିରୁବନନ୍ତପୁରମ: କେରଳରେ ଲଗାଣ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପରିସ୍ଥିତି ଗମ୍ଭୀର ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ଏଥିସହ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ପ୍ରବଳ ବର୍ଷାରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ଘଟିଛି। ୨୭ଟି ଘର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଥିବାବେଳେ ୧୯୬ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରୁ ୫,୭୯୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ୨୦୯ଟି ରିଲିଫ୍ କ୍ୟାମ୍ପରେ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ଭି. ଡି. ସତୀଶନ କହିଛନ୍ତି ଯେ, ମୃତକଙ୍କ ପରିବାର ସହ ବାସସ୍ଥାନ ଓ ଜୀବିକା ହରାଇଥିବା ସମସ୍ତ ପ୍ରଭାବିତ ପରିବାରଙ୍କୁ ସରକାର ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଶନିବାର ତୁଳନାରେ ରବିବାର ବର୍ଷାର ତୀବ୍ରତା କମିଥିଲେ ମଧ୍ୟ ପାହାଡ଼ିଆ ଏବଂ ଭୂସ୍ଖଳନପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।

ରାଜସ୍ୱ ମନ୍ତ୍ରୀ ଏ. ପି. ଅନିଲକୁମାର କହିଛନ୍ତି ଯେ, ବନ୍ୟା ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତଥାପି ପଠାନମଥିଟ୍ଟା, ଇଡୁକ୍କି, ୱାୟାନାଡ, କୋଟାୟାମ, କୋଝିକୋଡ଼ ଏବଂ କନ୍ନୁର ଜିଲ୍ଲାର ନଦୀକୂଳ ଓ ତଳିଆ ଅଞ୍ଚଳ ଏବେ ମଧ୍ୟ ଜଳମଗ୍ନ ରହିଛି। ଅନେକ ଘର ଭିତରକୁ ବନ୍ୟାଜଳ ପ୍ରବେଶ କରିଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି।

ପଠାନମଥିଟ୍ଟାର ରାନି ଏବଂ ଆଲାପୁଝାର କୁଟ୍ଟାନାଡ଼ ଅଞ୍ଚଳରେ ଏବେ ମଧ୍ୟ ବନ୍ୟାଜଳ ହ୍ରାସ ପାଇନାହିଁ। ଫଳରେ ସ୍ଥାନୀୟ ବାସିନ୍ଦାମାନେ ଯାତାୟାତ ପାଇଁ ଛୋଟ ଡଙ୍ଗାର ସହାୟତା ନେଉଛନ୍ତି। ଏହାସହ ପ୍ରବଳ ବର୍ଷାର ଆଶଙ୍କା ଦୃଷ୍ଟିରୁ ରାଜ୍ୟର ୧୨ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ନଦୀ ଓ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ବିପଦପ୍ରବଣ ଅଞ୍ଚଳରେ ନଜରଦାରି ବଢ଼ାଇ ଦିଆଯାଇଛି। ପରିସ୍ଥିତିକୁ ଦେଖି ଆବଶ୍ୟକ ସ୍ଥାନରେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଛି।