ନୂଆଦିଲ୍ଲୀ:
ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଲଗାତାର ବୃଦ୍ଧି ଜାରି ରହିଛି। ସୋମବାର ତେଲ କମ୍ପାନିମାନେ ଚତୁର୍ଥ ଥର ପାଇଁ ଇନ୍ଧନ ଦର ବଢ଼ାଇଥିବାବେଳେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ଓ ଡିଜେଲ ୨ ଟଙ୍କା ୭୧ ପଇସା ବୃଦ୍ଧି ପାଇଛି। ଗତ ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ହୋଇଥିବା ଦରବୃଦ୍ଧି।
ନୂତନ ଦର ଲାଗୁ ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୧୬ ପଇସାକୁ ପହଞ୍ଚିଥିବାବେଳେ ଡିଜେଲ ଦର ୧୦୦ ଟଙ୍କା ୮୧ ପଇସା ହୋଇଛି। ସେପରି ପ୍ରିମିୟମ ପେଟ୍ରୋଲ ଦର ୧୧୮ ଟଙ୍କା ୨୭ ପଇସାରେ ପହଞ୍ଚିଛି। ଏହି ଚାରି ପର୍ଯ୍ୟାୟର ଦରବୃଦ୍ଧିରେ ପେଟ୍ରୋଲ ମୋଟ ୭ ଟଙ୍କା ୬୦ ପଇସା ଓ ଡିଜେଲ ୭ ଟଙ୍କା ୭୭ ପଇସା ମହଙ୍ଗା ହୋଇଛି।
ପୂର୍ବରୁ ମେ ୧୫ରେ ପେଟ୍ରୋଲ ଦର ୩.୨୨ ଟଙ୍କା ଓ ଡିଜେଲ ୨.୧୯ ଟଙ୍କା ବଢ଼ିଥିଲା। ଏହା ପରେ ମେ ୧୯ ଓ ମେ ୨୩ରେ ମଧ୍ୟ ଦୁଇଥର ଦରବୃଦ୍ଧି କରାଯାଇଥିଲା। ଲଗାତାର ଏହି ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଉପରେ ଅର୍ଥନୈତିକ ଚାପ ବଢ଼ିବା ଆରମ୍ଭ ହୋଇଛି।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଇରାନ ଯୁଦ୍ଧ ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଉପରେ ରହିବା ସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଥିବାରୁ ଭାରତ ପାଇଁ ତେଲ ଆମଦାନି ବହୁତ ମହଙ୍ଗା ପଡ଼ୁଛି। ଏହାର ପ୍ରଭାବରେ ତେଲ କମ୍ପାନିମାନଙ୍କ କ୍ଷତି ବଢ଼ି ଯାଇଥିବାରୁ ସରକାର ସେମାନଙ୍କୁ ଦର ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି।
ଡିଜେଲ ଦର ବୃଦ୍ଧିର ପ୍ରଭାବ ସମଗ୍ର ଅର୍ଥନୀତି ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ପରିବହନ, କୃଷି, ବସ୍ ସେବା, ଟ୍ରକ୍ ଚାଳନା ଓ ଜେନେରେଟର ବ୍ୟବହାରରେ ଡିଜେଲ ମୁଖ୍ୟ ଇନ୍ଧନ ଥିବାରୁ ଏହାର ଦରବୃଦ୍ଧି ପରୋକ୍ଷ ଭାବେ ସମସ୍ତ ଜିନିଷ ଦାମ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଛି। ପୂର୍ବରୁ ବସ୍ ଭଡ଼ା ବଢ଼ିଥିବାବେଳେ ଆଗାମୀ ଦିନରେ ପନିପରିବା, ଚାଉଳ, ଡାଲି ଓ ଅନ୍ୟାନ୍ୟ ନିତ୍ୟପ୍ରୟୋଜନୀୟ ସାମଗ୍ରୀ ମଧ୍ୟ ମହଙ୍ଗା ହୋଇପାରେ।
ଯୁଦ୍ଧ ଲମ୍ବା ହେଲେ ଆହୁରି ବଢ଼ିପାରେ ତେଲ ଦର
ଭାରତ ପେଟ୍ରୋଲିୟମର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଇରାନ ଯୁଦ୍ଧ ଲମ୍ବା ସମୟ ଚାଲିଲେ ତେଲ ଦରରେ ଆଉ ବୃଦ୍ଧି ହେବାର ସମ୍ଭାବନା ରହିଛି। ଯୁଦ୍ଧ ପ୍ରଭାବରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେଉଥିବାରୁ ତେଲ ଆମଦାନି ଅସୁବିଧାଜନକ ହୋଇପଡ଼ିଛି। ଏହାର ପ୍ରଭାବରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଲଗାତାର ଉତ୍ତାଳ ରହିଛି।
ଫେବ୍ରୁଆରି ଶେଷରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୬୫ରୁ ୭୦ ଡଲାର ମଧ୍ୟରେ ଥିଲା। କିନ୍ତୁ ଯୁଦ୍ଧ ପରେ ଏହା ୧୧୦ରୁ ୧୧୫ ଡଲାର ମଧ୍ୟରେ ପହଞ୍ଚିଛି। ଭାରତ ତାହାର ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ତେଲ ଆମଦାନି କରୁଥିବାରୁ ବିଶ୍ୱ ବଜାରର ଏହି ଅସ୍ଥିରତାର ସିଧାସଳଖ ପ୍ରଭାବ ଦେଶ ଉପରେ ପଡ଼ୁଛି।




