ନୂଆଦିଲ୍ଲୀ: Air Indiaର ଦିଲ୍ଲୀ-ସାନ୍ ଫ୍ରାନ୍ସିସ୍କୋ ଉଡ଼ାଣ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ୨୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ପ୍ରାୟ ୮ ଘଣ୍ଟା ଆକାଶରେ ରହିବା ପରେ ପୁଣି ଦିଲ୍ଲୀକୁ ଫେରିଆସିଛି।

ଏୟାରଲାଇନ୍ସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ବୁଧବାର ଦିନ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଅଭିମୁଖେ ଯାତ୍ରା କରିଥିବା ‘AI173’ ବିମାନଟି ପ୍ରାୟ ୩ ଘଣ୍ଟା ଉଡ଼ିବା ପରେ ଚୀନ୍ ଆକାଶମାର୍ଗରେ ପହଞ୍ଚିଥିଲା। ସେହି ସମୟରେ ବିମାନରେ ଯାନ୍ତ୍ରିକ ସମସ୍ୟା ଚିହ୍ନଟ ହୋଇଥିଲା।

ସୁରକ୍ଷା ନିୟମକୁ ମାନି ପାଇଲଟ୍ ତୁରନ୍ତ ବିମାନଟିକୁ ଦିଲ୍ଲୀ ଅଭିମୁଖେ ଫେରାଇଥିଲେ। ପରେ ବିମାନଟିର ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରାଯାଇଥିଲା।

ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ

ଏୟାର ଇଣ୍ଡିଆ କହିଛି ଯେ, ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ବିମାନଟିର ବୈଷୟିକ ଯାଞ୍ଚ ଚାଲିଥିବା ବେଳେ ଯାତ୍ରୀମାନଙ୍କ ପାଇଁ ହୋଟେଲ ଓ ବିକଳ୍ପ ଉଡ଼ାଣ ବ୍ୟବସ୍ଥା କରାଯାଉଛି।

ପୂର୍ବରୁ ମଧ୍ୟ ଘଟିଥିଲା ଏଭଳି ଘଟଣା

ଉଲ୍ଲେଖଯୋଗ୍ୟ, ଗତ ମେ ୨୧ ତାରିଖରେ ମଧ୍ୟ ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଅନ୍ୟ ଏକ ବିମାନର ଇଞ୍ଜିନରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ମଧ୍ୟ ବିମାନଟିକୁ ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରାଯାଇଥିଲା।