ବେଙ୍ଗାଲୁରୁ/ନୂଆଦିଲ୍ଲୀ: ଆଫ୍ରିକାର କିଛି ଦେଶରେ ବ୍ୟାପୁଥିବା ମାରାତ୍ମକ ଏବୋଲା ଭୂତାଣୁକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଭାରତ ପାଇଁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଉଗାଣ୍ଡାରୁ ବେଙ୍ଗାଲୁରୁ ଫେରିବା ପରେ ଆଇସୋଲେସନରେ ରଖାଯାଇଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କ ଏବୋଲା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି।
National Institute of Virology (NIV) ପକ୍ଷରୁ କରାଯାଇଥିବା ରକ୍ତ ନମୁନା ପରୀକ୍ଷାରେ ତାଙ୍କ ଶରୀରରେ ଏବୋଲା ଭୂତାଣୁ ନଥିବା ସ୍ପଷ୍ଟ ହୋଇଛି। ଏହା ସହ Ministry of Health and Family Welfare ମଧ୍ୟ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ସୁଦ୍ଧା ଭାରତରେ କୌଣସି ଏବୋଲା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।
ସତର୍କତା ଜାରି, ବିମାନବନ୍ଦରରେ କଡ଼ା ସ୍କ୍ରିନିଂ
ସୂଚନା ଅନୁଯାୟୀ, ଅହମ୍ମଦାବାଦ ଦେଇ ବେଙ୍ଗାଲୁରୁରେ ପହଞ୍ଚିଥିବା ଏହି ମହିଳାଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କୁ ହୋଟେଲରୁ ସରକାରୀ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ଅନ୍ୟପକ୍ଷରେ Uganda ଓ Democratic Republic of the Congoରେ ଏବୋଲାର ଦୁର୍ଲଭ ‘ବୁଣ୍ଡିବୁଗିଓ’ ଷ୍ଟ୍ରେନ୍ ବ୍ୟାପିବା ପରେ World Health Organization (WHO) ଏହାକୁ ‘ଆନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି’ ଘୋଷଣା କରିଛି। ଏହି ସଂକ୍ରମଣରେ ପ୍ରାୟ ୨୨୦ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।
୨୧ ଦିନ ସ୍ୱାସ୍ଥ୍ୟ ନଜରଦାରୀ ନିର୍ଦ୍ଦେଶ
କେନ୍ଦ୍ର ସରକାର ଦେଶର ସମସ୍ତ ବିମାନବନ୍ଦରରେ ସୁରକ୍ଷା ଓ ସ୍କ୍ରିନିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଏବୋଲା ପ୍ରଭାବିତ ଦେଶରୁ ଫେରୁଥିବା ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରାଯାଇଛି।
ଜ୍ୱର, ବାନ୍ତି କିମ୍ବା ଅସ୍ପଷ୍ଟ ରକ୍ତସ୍ରାବ ଭଳି ଲକ୍ଷଣ ଥିଲେ ଇମିଗ୍ରେସନ ପୂର୍ବରୁ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି। ସେହିପରି ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ୨୧ ଦିନ ପର୍ଯ୍ୟନ୍ତ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଥର୍ମାଲ ସ୍କ୍ରିନିଂ ଓ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ ମାଧ୍ୟମରେ ସଂକ୍ରମଣକୁ ଦେଶ ଭିତରକୁ ପ୍ରବେଶ କରିବାରୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି।




