ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମହିଳା ଶୌଚାଳୟ (Washroom) ଭିତରୁ ଏକ ଗୁପ୍ତ ସ୍ପାଏ କ୍ୟାମେରା ମିଳିବା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଜଣେ ମହିଳା କର୍ମଚାରୀ ଶୌଚାଳୟ ବ୍ୟବହାର କରୁଥିବା ସମୟରେ ହଠାତ୍ କ୍ୟାମେରାଟି ତଳେ ପଡ଼ିଯିବାରୁ ଏହି ଅପ୍ରୀତିକର ଘଟଣା ସାମ୍ନାକୁ ଆସିଥିଲା। ଭୟଭୀତ ମହିଳା ଜଣକ ତୁରନ୍ତ ଏ ବିଷୟରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ।
ମାମଲାର ଗୁରୁତ୍ୱକୁ ଦେଖି ଜିଲ୍ଲାପାଳ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ତିର୍ତ୍ତୋଲ ବିଡିଓ ତିର୍ତ୍ତୋଲ ଥାନାରେ ଏକ ଆନୁଷ୍ଠାନିକ ଏଫଆଇଆର୍ (FIR) ଦାୟର କରିଛନ୍ତି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏସପି ନିଜେ ଏହି ତଦନ୍ତର ତଦାରଖ କରୁଛନ୍ତି।
ପୋଲିସ ଏବେ ବିଭିନ୍ନ ଦିଗକୁ ନେଇ ଯାଞ୍ଚ ଚାଲୁ ରଖିଛି। ଏହି କ୍ୟାମେରା କାର୍ଯ୍ୟାଳୟର କୌଣସି କର୍ମଚାରୀ ଲଗାଇଛନ୍ତି ନା କୌଣସି ବାହାର ଲୋକର ହାତ ଅଛି, ତାହା ଖୋଜାଯାଉଛି। ଏହା ସହିତ ମହିଳାମାନଙ୍କର ଅଶ୍ଳୀଳ ଭିଡିଓ ରେକର୍ଡ କରି ବ୍ଲାକମେଲ୍ କରିବା କିମ୍ବା ବ୍ୟକ୍ତିଗତ ଶତ୍ରୁତା ସାଧନ କରିବା ଏହାର ଉଦ୍ଦେଶ୍ୟ ଥିଲା କି ନାହିଁ, ସେ ନେଇ ମଧ୍ୟ ପୋଲିସ ଖୋଳତାଡ଼ କରୁଛି।
ଏହି ଘଟଣା ପରେ ସରକାରୀ କାର୍ଯ୍ୟାଳୟ ପରିସରରେ ମହିଳାମାନଙ୍କ ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତା (Privacy) କୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ମହିଳା କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ରୋଧ ଦେଖାଦେଇଛି। ପୋଲିସ ବର୍ତ୍ତମାନ କାର୍ଯ୍ୟାଳୟର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।




