ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ‘କୋକରୋଚ୍ ଜନତା ପାର୍ଟି’ (CJP) ର ଅଫିସିଆଲ୍ ଆକାଉଣ୍ଟ୍ ବ୍ଲକ୍‌ କରାଯିବା ମାମଲାରେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଆଇଟି ଅଧୀନରେ ଗଠିତ ରିଭ୍ୟୁ କମିଟିକୁ ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଆବେଦନର ସମୀକ୍ଷା କରିବା ସହ ନିଜର ଚୂଡ଼ାନ୍ତ ନିଷ୍ପତ୍ତିକୁ ରେକର୍ଡରେ ରଖିବା ପାଇଁ କୋର୍ଟ କହିଛନ୍ତି। ଜଷ୍ଟିସ ପୁରୁଷେନ୍ଦ୍ର କୁମାର କୌରବ ଏହି ମାମଲାରେ କେନ୍ଦ୍ର ସରକାର ଏବଂ ‘ଏକ୍ସ’ (X) କୁ ନୋଟିସ୍ ଜାରି କରି ସବିଶେଷ ଜବାବ ରଖିବାକୁ ଚାରି ସପ୍ତାହ ସମୟ ଦେଇଛନ୍ତି।

ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଏକ୍ସ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି। ଆବେଦନକାରୀଙ୍କ ଓକିଲ ଅଖିଳ ସିବଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ବିବାଦୀୟ ପୋଷ୍ଟଗୁଡ଼ିକୁ ବ୍ଲକ୍ ରଖି ସମ୍ପୂର୍ଣ୍ଣ ଆକାଉଣ୍ଟକୁ ପୁନର୍ବାର ଚାଲୁ କରାଯାଉ। ତେବେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ଦୃଢ଼ ବିରୋଧ କରିବା ସହ ‘ଏକ୍ସ’ ର ଆଚରଣ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ କହିଥିଲେ ଯେ ମଧ୍ୟସ୍ଥି ପ୍ଲାଟଫର୍ମଟି ଆବେଦନକାରୀଙ୍କୁ ପରୋକ୍ଷରେ ସାହାଯ୍ୟ କରୁଛି।

କୋର୍ଟ ଏହି ଆକାଉଣ୍ଟକୁ ତୁରନ୍ତ ଚାଲୁ କରିବା ପାଇଁ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେଇନାହାନ୍ତି। ଏହି ମାମଲାରେ କେବଳ କୌଣସି ନିର୍ଦ୍ଦିଷ୍ଟ ପୋଷ୍ଟ ନୁହେଁ, ବରଂ ସମ୍ପୂର୍ଣ୍ଣ ଆକାଉଣ୍ଟର କାର୍ଯ୍ୟକଳାପ ଉପରେ ସରକାର ଚିନ୍ତା ପ୍ରକଟ କରିଥିବାରୁ କୋର୍ଟ ବ୍ଲକିଂ ଅର୍ଡରର ସମୀକ୍ଷା ଦାୟିତ୍ୱ ଆଇଟି ରିଭ୍ୟୁ କମିଟିକୁ ହସ୍ତାନ୍ତର କରିଛନ୍ତି। ଆବେଦନକାରୀ ବର୍ତ୍ତମାନ ଭାରତ ବାହାରେ ଥିବାରୁ, ସେ ଭିଡିଓ କନଫରେନ୍ସିଂ ଜରିଆରେ କମିଟି ସାମ୍ନାରେ ପକ୍ଷ ରଖିବାକୁ ଅନୁରୋଧ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।