ମୁମ୍ବାଇ: ଦେଶରେ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ଦ୍ରୁତ ହାରେ ବଢ଼ୁଥିଲେ ମଧ୍ୟ ନଗଦ ଟଙ୍କାର ଚାହିଦା କମିନାହିଁ। ବରଂ ପ୍ରଚଳନରେ ଥିବା ମୁଦ୍ରାର ପରିମାଣ ରେକର୍ଡ ସ୍ତରକୁ ପହଞ୍ଚିଛି। ଏହି ପରିସ୍ଥିତିରେ କାଗଜ ନୋଟ୍ର ବିକଳ୍ପ ଭାବେ ପଲିମର ବା ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗମ୍ଭୀର ଭାବେ ବିଚାର କରୁଛି।
ସମ୍ପ୍ରତି ପାଟନା ଓ ମୁମ୍ବାଇରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। କାଗଜ ନୋଟ୍ ତୁଳନାରେ ପଲିମର ନୋଟ୍ ଅଧିକ ଟିକାଉ ହୋଇଥାଏ ଏବଂ ସହଜରେ ଚିରି ନଷ୍ଟ ହୁଏ ନାହିଁ। ଏହାର ଛପା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ତୁଳନାମୂଳକ ଭାବେ କମ୍ ରହିଥାଏ।
ଆରବିଆଇ ସୂତ୍ର ଅନୁସାରେ, କାଗଜ ନୋଟ୍ ଛପା ପାଇଁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ନୋଟ୍ ଛପା ପାଇଁ ୫,୧୦୧.୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୨୪-୨୫ରେ ଏହା ବଢ଼ି ୬,୩୭୨.୮ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଗତ ଆର୍ଥିକ ବର୍ଷରେ ୨,୩୮୦ କୋଟି ଚିରାଫଟା ଓ ମଇଳା ନୋଟ୍କୁ ପ୍ରଚଳନରୁ ବାହାର କରିବାକୁ ପଡ଼ିଥିଲା। ଏଥିରେ ୧୦୦ ଓ ୫୦୦ ଟଙ୍କିଆ ନୋଟ୍ର ସଂଖ୍ୟା ଅଧିକ ଥିଲା।
ଚଳିତ ବର୍ଷ ମେ ୧୫ ସୁଦ୍ଧା ଦେଶରେ ପ୍ରଚଳନରେ ଥିବା ମୋଟ ମୁଦ୍ରା ପରିମାଣ ୧୧.୫ ପ୍ରତିଶତ ବୃଦ୍ଧି ପାଇ ୪୨.୮୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବିଶେଷକରି ୧୦ ଓ ୨୦ ଟଙ୍କିଆ ନୋଟ୍ର ଚାହିଦା ବୃଦ୍ଧି ପାଇଥିବାରୁ ଆରବିଆଇ ବିକଳ୍ପ ବ୍ୟବସ୍ଥା ଉପରେ ଜୋର ଦେଉଛି।
ପ୍ଲାଷ୍ଟିକ୍ ନୋଟ୍ ଆଣିବା ନେଇ ଭାରତରେ ପ୍ରଥମ ଥର ପାଇଁ ଚିନ୍ତା କରାଯାଉନାହିଁ। ୨୦୧୨ରେ ମଧ୍ୟ ଏଭଳି ପ୍ରସ୍ତାବ ଆସିଥିଲା ଏବଂ ପାଞ୍ଚଟି ସହରରେ ପରୀକ୍ଷାମୂଳକ ଭାବେ ପ୍ରଚଳନ କରିବା ଯୋଜନା ଥିଲା। କିନ୍ତୁ ସେତେବେଳେ ପ୍ରଯୁକ୍ତିଗତ ସମସ୍ୟା ଯୋଗୁଁ ଏହାକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ପ୍ରଯୁକ୍ତିର ଉନ୍ନତି ଯୋଗୁଁ ଏଟିଏମ୍ ମେସିନ୍ ମଧ୍ୟ ପଲିମର ନୋଟ୍କୁ ସହଜରେ ଚିହ୍ନଟ କରିପାରୁଛି।
ବର୍ତ୍ତମାନ ବିଶ୍ୱର ପ୍ରାୟ ୬୦ଟି ଦେଶରେ ପଲିମର ନୋଟ୍ ପ୍ରଚଳନରେ ରହିଛି। ୧୯୮୮ ମସିହାରେ ପ୍ରଥମେ ଅଷ୍ଟ୍ରେଲିଆ ଏହି ବ୍ୟବସ୍ଥା ଆରମ୍ଭ କରିଥିଲା। ପରେ କାନାଡା, ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ଓ ରୋମାନିଆ ଭଳି ଦେଶମାନେ ମଧ୍ୟ ପଲିମର ନୋଟ୍ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ଶୀଘ୍ର ପରୀକ୍ଷାମୂଳକ ଭାବେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ଆରମ୍ଭ ହେବାର ସମ୍ଭାବନା ରହିଛି।




