ନୂଆଦିଲ୍ଲୀ: ଲିଭ୍-ଇନ୍ ସମ୍ପର୍କରେ ଥିବା ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କରେ ଥିବା ମହିଳାମାନେ ମଧ୍ୟ ସ୍ୱାମୀ କିମ୍ବା ସାଥୀଙ୍କ ଦ୍ୱାରା ହେଉଥିବା ନିର୍ଯାତନା ମାମଲାରେ ବିବାହିତ ମହିଳାଙ୍କ ପରି ସମାନ ଆଇନଗତ ସୁରକ୍ଷା ପାଇବେ।

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା ୪୯୮-ଏ, ଯାହା ସ୍ୱାମୀ କିମ୍ବା ତାଙ୍କ ପରିବାର ପକ୍ଷରୁ ନିଷ୍ଠୁରତା ଓ ନିର୍ଯାତନା ସହ ଜଡିତ, ଏବେ ଲିଭ୍-ଇନ୍ ସମ୍ପର୍କରେ ଥିବା ମହିଳାଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହେବ।

ରାୟରେ ଅଦାଲତ କହିଛନ୍ତି ଯେ, ସମାଜରେ ସମ୍ପର୍କର ସ୍ୱରୂପ ବଦଳୁଥିବା ବେଳେ ଆଇନକୁ ମଧ୍ୟ ସମୟ ସହ ତାଳମେଳ ରଖି ବିକଶିତ ହେବା ଆବଶ୍ୟକ। ନିର୍ଯାତନାରୁ ସୁରକ୍ଷା ପାଇବାର ଅଧିକାର କେବଳ ବିବାହିତ ସମ୍ପର୍କ ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ଲିଭ୍-ଇନ୍ ସମ୍ପର୍କରେ ଥିବା ମହିଳାମାନେ ମଧ୍ୟ ସମାନ ଆଇନଗତ ସୁରକ୍ଷା ପାଇବାର ଅଧିକାରୀ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।

ଧାରା ୪୯୮-ଏ ଅନୁଯାୟୀ, ସ୍ୱାମୀ କିମ୍ବା ତାଙ୍କ ପରିବାର ପକ୍ଷରୁ ମହିଳାଙ୍କ ପ୍ରତି ଶାରୀରିକ କିମ୍ବା ମାନସିକ ନିର୍ଯାତନା, ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିବା, ଯୌତୁକ କିମ୍ବା ସମ୍ପତ୍ତି ନାମରେ ଅବୈଧ ଦାବି କରି ହଇରାଣ କରିବା ଦଣ୍ଡନୀୟ ଅପରାଧ। ଏପରି ମାମଲାରେ ଦୋଷୀଙ୍କୁ ସର୍ବାଧିକ ତିନି ବର୍ଷ ଜେଲଦଣ୍ଡ ସହ ଜରିମାନା ହୋଇପାରେ।

ଏହି ରାୟ ସହିତ ଲିଭ୍-ଇନ୍ ସମ୍ପର୍କରେ ଥିବା ମହିଳାମାନେ ମଧ୍ୟ ନିର୍ଯାତନା ବିରୋଧରେ ଆଇନର ଆଶ୍ରୟ ନେଇ ନ୍ୟାୟ ପାଇବାର ଅଧିକାର ପାଇବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।