ଭୁବନେଶ୍ୱର: ମିତ୍ରତା ଦିବସ (Friendship Day) ଅବସରରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ସାମାଜିକ ପଦକ୍ଷେପ ଦେଖିବାକୁ ମିଳିଛି। ସମାଜସେବୀ ତଥା ନିଶା ନିବାରଣ ପ୍ରଚାରକ ଡକ୍ଟର ମହମ୍ମଦ ଇମ୍ରାନ୍ ଅଲ୍ଲୀ ଦୃଷ୍ଟିବାଧିତ ଶିଶୁ ଓ ଯୁବବର୍ଗଙ୍କ ପାଇଁ ଦେଶର ପ୍ରଥମ ବ୍ରେଲ୍ ପୁସ୍ତକ ‘ୟେସ୍ ଟୁ ଲାଇଫ୍, ନୋ ଟୁ ଡ୍ରଗ୍ସ’ (Yes to Life, No to Drugs) ପ୍ରକାଶ କରିଛନ୍ତି।
ସ୍ୱାସ୍ଥ୍ୟ, ନିଶା ନିବାରଣ, ଭିନ୍ନକ୍ଷମ ସମାବେଶିତା ଏବଂ ଯୁବ ବିକାଶ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ‘ସଲାମ ଜୀବନ’ (Salaam Jeevan) ଦ୍ୱାରା ଏହି ପୁସ୍ତକଟି ପ୍ରକାଶିତ ହୋଇଛି। ଦୃଷ୍ଟିବାଧିତମାନଙ୍କ ନିକଟରେ ନିଶା ନିବାରଣ ସମ୍ପର୍କିତ ଜୀବନରକ୍ଷାକାରୀ ସୂଚନା ପହଞ୍ଚାଇବା ଏହି ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ। ସରଳ ଭାଷାରେ ଲିଖିତ ଏହି ବହିରେ ତମାଖୁ, ମଦ୍ୟପାନ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟର କାରଣ, କୁପ୍ରଭାବ ଏବଂ ଦୀର୍ଘମିଆଦୀ ପରିଣାମ ବିଷୟରେ ବୁଝାଯାଇଛି।
ଏହି ସ୍ୱତନ୍ତ୍ର ପ୍ରକାଶନଟି ଭାରତ ସରକାରଙ୍କ ‘ନିଶା ମୁକ୍ତ ଭାରତ ଅଭିଯାନ’ ଏବଂ ‘ବିକଶିତ ଭାରତ’ର ଲକ୍ଷ୍ୟ ସହ ଯୋଡ଼ିହୋଇ କାର୍ଯ୍ୟ କରିବ। ଅଭିଭାବକ, ଶିକ୍ଷକ, ସମାଜ, ସ୍ୱାସ୍ଥ୍ୟସେବା କର୍ମୀ ଏବଂ ସରକାରୀ ସଂସ୍ଥାଗୁଡ଼ିକର ମିଳିତ ସହଯୋଗରେ ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ଏଥିରେ ଆହ୍ୱାନ ଦିଆଯାଇଛି।
ଏହି ଅବସରରେ ଡକ୍ଟର ଇମ୍ରାନ୍ କହିଛନ୍ତି, “ସଚେତନତା ହେଉଛି ନିଶା ନିବାରଣର ପ୍ରଥମ ପଦକ୍ଷେପ ଏବଂ ସୂଚନା ପାଇବା ସମସ୍ତଙ୍କର ମୌଳିକ ଅଧିକାର। ଦୃଷ୍ଟିବାଧିତ ଶିଶୁ ଓ ଯୁବବର୍ଗଙ୍କର ମଧ୍ୟ ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତ ସୁରକ୍ଷିତ ରଖିବା ଭଳି ଜ୍ଞାନ ପାଇବାର ସମାନ ଅଧିକାର ରହିଛି।”
ଡକ୍ଟର ଇମ୍ରାନ୍ ଆହୁରି ଜଣାଇଛନ୍ତି ଯେ, ଏହି ପୁସ୍ତକଟିକୁ ଡାକସେବା ମାଧ୍ୟମରେ ସମସ୍ତ ଦୃଷ୍ଟିବାଧିତ ପାଠକ, ସ୍ୱତନ୍ତ୍ର ବିଦ୍ୟାଳୟ, ପାଠାଗାର ଏବଂ ପୁନର୍ବାସ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ଦେଶରେ ନିଶା ନିବାରଣ କ୍ଷେତ୍ରରେ ବ୍ରେଲ୍ ଲିପିରେ ନିର୍ମିତ ଏହା ପ୍ରଥମ ପୁସ୍ତକ ହୋଇଥିବାରୁ ଏହା ଜନସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।




