ପଞ୍ଜାବ: ପଞ୍ଜାବ ପୌର ନିର୍ବାଚନରେ ଆମ ଆଦମୀ ପାର୍ଟି (AAP) ବିପୁଳ ବିଜୟ ହାସଲ କରିଛି। ମେ ୨୬ରେ ଅନୁଷ୍ଠିତ ହୋଇଥିବା ମୋଟ ୧,୯୭୭ଟି ୱାର୍ଡ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ୧,୭୫ଟି ଆସନ ମଧ୍ୟରୁ ଆପ୍ ଏକାକୀ ୮୬୨ଟି ୱାର୍ଡ ଜିତି ନିଜର ଦବ୍ଦବା ଜାହିର କରିଛି।
୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଫଳାଫଳକୁ ଏକ ବଡ଼ ସଙ୍କେତ ଭାବେ ଦେଖାଯାଉଛି।ଏହି ନିର୍ବାଚନରେ କଂଗ୍ରେସ ମାତ୍ର ୩୪୮ଟି ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଶିରୋମଣି ଅକାଳୀ ଦଳ (SAD)କୁ ପଛରେ ପକାଇ ସ୍ୱାଧୀନ ପ୍ରାର୍ଥୀମାନେ ୨୪୨ଟି ୱାର୍ଡରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଅକାଳୀ ଦଳକୁ ୧୬୯, ଭାରତୀୟ ଜନତା ପାର୍ଟି (BJP)କୁ ୧୩୮ ଏବଂ ବହୁଜନ ସମାଜ ପାର୍ଟି (BSP)କୁ ମାତ୍ର ୬ଟି ଆସନ ମିଳିଛି।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ଙ୍କ ନିଜ ନିର୍ବାଚନ ମଣ୍ଡଳୀ ଧୁରୀରେ ‘ଆପ୍’ର ସବୁଠାରୁ ବଡ଼ ପ୍ରଭାବ ଦେଖିବାକୁ ମିଳିଛି, ଯେଉଁଠାରେ ଦଳ ୨୧ଟି ଆସନରୁ ୨୦ଟିରେ କ୍ଲିନ୍ ସ୍ୱିପ୍ କରିଛି। ସେହିପରି ବରନାଲା ମ୍ୟୁନିସିପାଲ କର୍ପୋରେସନର ୫୦ଟି ୱାର୍ଡରୁ ଆପ୍ ୩ ଟି ଆସନ ଜିତିଥିବା ବେଳେ ମୋଗାରେ ମେୟର ପଦ ପାଇଁ ଆବଶ୍ୟକ ୨୬ଟି ଆସନ ସଂଖ୍ୟାକୁ ପାର୍ କରି ଦଳ ୨୯ଟି ୱାର୍ଡରେ ବିଜୟ ପତାକା ଉଡ଼ାଇଛି।




