ଭୁବନେଶ୍ବର: ଓଡ଼ିଶା ସରକାର ଦୁର୍ନୀତି ବିରୋଧରେ ପୁଣି ଏକ ବଡ଼ ଏବଂ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରିଛନ୍ତି। ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ‘ଜିରୋ ଟଲରାନ୍ସ’ ବା ଶୂନ୍ୟ ସହନଶୀଳତା ନୀତିକୁ ଏହି ନିଷ୍ପତ୍ତି ପୁଣି ଥରେ ପ୍ରମାଣିତ କରିଛି।

ଜମି କାରବାରରେ ବ୍ୟାପକ ଅନିୟମିତତାଚିତ୍ତରଞ୍ଜନ ପିଲ୍ଲା ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଜଗତସିଂହପୁରର ଡେପୁଟି କଲେକ୍ଟର ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱରରେ ଅବସ୍ଥାପିତ ଥିବା ସମୟରେ ତାଙ୍କ ବିରୋଧରେ ଜମି ଜମା ମାମଲାରେ ବ୍ୟାପକ ଅନିୟମିତତା ଏବଂ ବେଆଇନ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ଗୁରୁତ୍ୱକୁ ଦେଖି ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଚିତ୍ତରଞ୍ଜନ ଅନେକ ନିୟମର ଉଲ୍ଲଂଘନ କରିଥିବା ଏବଂ ଦୁର୍ନୀତିରେ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀତଦନ୍ତ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଚିତ୍ତରଞ୍ଜନଙ୍କୁ ଚାକିରିରୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦକ୍ଷେପ ସହ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଦୁର୍ନୀତିରେ ସଂପୃକ୍ତ ଥିବା କୌଣସି ବି ଅଧିକାରୀଙ୍କୁ ଛଡ଼ାଯିବ ନାହିଁ। ଦୁର୍ନୀତି ଜନସାଧାରଣଙ୍କ ଆସ୍ଥା ତୁଟାଇବା ସହ ରାଜ୍ୟର ବିକାଶରେ ବାଧା ସୃଷ୍ଟି କରିଥାଏ। ତେଣୁ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ସାଧୁତା ବଜାୟ ରଖିବା ପାଇଁ ସରକାର ଆଗକୁ ମଧ୍ୟ ଏଭଳି କଠୋର ଆଭିମୁଖ୍ୟ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି।