ପଶ୍ଚିମ ଏସିଆରେ ବଢୁଥିବା ଆଞ୍ଚଳିକ ଉତ୍ତେଜନାକୁ ଦେଖି ଭାରତ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ନାଗରିକମାନଙ୍କୁ ଇରାନ ଗସ୍ତ ନକରିବାକୁ ଏକ ନୂତନ ଗାଇଡଲାଇନ ବା ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି। ଏହା ସହିତ ବର୍ତ୍ତମାନ ଇରାନରେ ଥିବା ସମସ୍ତ ଭାରତୀୟଙ୍କୁ ଉପଲବ୍ଧ ବାଣିଜ୍ୟିକ ବିମାନ କିମ୍ବା ଅନ୍ୟାନ୍ୟ ପରିବହନ ମାଧ୍ୟମ ସାହାଯ୍ୟରେ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରି ତେହେରାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଜରୁରୀକାଳୀନ ସୂଚନା ଜାରି କରାଯାଇଛି। ଅଞ୍ଚଳର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଇରାନ ଯାତ୍ରା ନକରିବାକୁ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୁନର୍ବାର ସୂଚିତ କରାଯାଇଛି।

ବିନା ପୂର୍ବ ପରାମର୍ଶରେ କୌଣସି ବି ଭାରତୀୟ ନାଗରିକ ଆନ୍ତର୍ଜାତୀୟ ସ୍ଥଳ ସୀମା ନିକଟକୁ ନଯିବାକୁ କୁହାଯାଇଛି। ଇରାନରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଭାରତୀୟ ଦୂତାବାସରେ ନିଜର ନାମ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି, ଯେପରି ଜରୁରୀ ସମୟରେ ସେମାନଙ୍କୁ ଯୋଗାଯୋଗ ଏବଂ ସହାୟତା ଯୋଗାଇ ଦିଆଯାଇପାରିବ। ଯେଉଁମାନେ ତୁରନ୍ତ ଦେଶ ଛାଡିବାକୁ ସକ୍ଷମ ନୁହନ୍ତି, ସେମାନଙ୍କୁ ସର୍ବସାଧାରଣ ସଭା କିମ୍ବା ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯିବାକୁ, ନିଜର ଗତିବିଧି ସୀମିତ ରଖିବାକୁ ଏବଂ ଦୂତାବାସର କର୍ମଚାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ କୁହାଯାଇଛି।

“ବର୍ତ୍ତମାନ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସ୍ଥାନାନ୍ତରଣ ପ୍ରକ୍ରିୟା ଘୋଷଣା କରାଯାଇ ନାହିଁ। ତେଣୁ ବାଣିଜ୍ୟିକ ବିମାନ ସେବା ଉପଲବ୍ଧ ଥିବା ସମୟରେ ହିଁ ନିଜ ସୁରକ୍ଷା ପାଇଁ ଦେଶ ଛାଡି ଚାଲିଆସିବା ଭଲ।”

ଇରାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଭୂ-ରାଜନୈତିକ ସ୍ଥିତି ଅନିଶ୍ଚିତତା ଆଡ଼କୁ ଗତି କରୁଥିବାରୁ, ବିଦେଶରେ ଥିବା ନିଜ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଏହି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।