ଭୁବନେଶ୍ବର: ଭୁବନେଶ୍ବର ଏବଂ ଆଖପାଖ ଅଞ୍ଚଳରେ ହଠାତ୍ ପାଗ ପରିବର୍ତ୍ତନ ହୋଇ ବର୍ଷା ଓ ପବନ ବୃଦ୍ଧି ପାଇବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ନେଇ ଆସୁଥିବା ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଛି।
ସୂଚନା ଅନୁଯାୟୀ, ମୟୂରଭଞ୍ଜରୁ ଭୁବନେଶ୍ବର ଫେରୁଥିବା ସମୟରେ ପ୍ରତିକୂଳ ପାଗ ଯୋଗୁଁ ହେଲିକପ୍ଟରଟି ପୁରୀର ସମଙ୍ଗ ଅସ୍ଥାୟୀ ବସ୍ଷ୍ଟାଣ୍ଡ ନିକଟସ୍ଥ ହେଲିପ୍ୟାଡ୍ରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।
ପ୍ରାରମ୍ଭିକ ଯୋଜନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସେଠାରୁ ସଡ଼କ ପଥରେ ଭୁବନେଶ୍ବର ଯିବାକୁ ଥିଲେ। କିନ୍ତୁ ପୁରୀରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ଜାରି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ବିକଳ୍ପ ବ୍ୟବସ୍ଥା ଉପରେ ବିଚାର ହେଉଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ସର୍କିଟ୍ ହାଉସ୍କୁ ନିଆଯାଇ ସେଠାରେ କିଛି ସମୟ ବିଶ୍ରାମ ପରେ ପାଗ ପରିସ୍ଥିତି ଆଧାରରେ ଭୁବନେଶ୍ବର ଯାତ୍ରା ନେଇ ଶେଷ ନିଷ୍ପତ୍ତି ନିଆଯିବ।
ଏହି ଘଟଣାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ସହ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି।




