ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳର ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଜଙ୍ଗଲରୁ ସୋମବାର ଏକ ହାତୀ ଛୁଆର କଙ୍କାଳ ଉଦ୍ଧାର ହୋଇଛି। ବନ ବିଭାଗର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ପ୍ରାୟ ଦୁଇ ମାସ ପୂର୍ବରୁ ହାତୀ ଛୁଆଟିର ମୃତ୍ୟୁ ହୋଇଥାଇପାରେ।
ସୂଚନା ଅନୁଯାୟୀ, ରବିବାର ଜଣେ ସ୍ଥାନୀୟ ଛେଳିଚରାଳୀ ଜଙ୍ଗଲକୁ ଯାଇଥିବା ବେଳେ କଙ୍କାଳଟି ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ସୋମବାର ବନ ବିଭାଗ ଓ ପଶୁ ଚିକିତ୍ସକଙ୍କ ଟିମ୍ ଆବଶ୍ୟକ ତଦନ୍ତ କରିବା ପରେ କଙ୍କାଳକୁ ପୋତି ଦେଇଥିଲେ।
ବନ ବିଭାଗ ପକ୍ଷରୁ ହାତୀର ହାଡ଼, ଚମଡ଼ା ଏବଂ ଦାନ୍ତର ନମୁନା ସଂଗ୍ରହ କରାଯାଇ ପରବର୍ତ୍ତୀ ବୈଜ୍ଞାନିକ ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ OUATକୁ ପଠାଯାଇଛି। ପ୍ରାରମ୍ଭିକ ଯାଞ୍ଚରେ ଏହା ଏକ ମାଈ ହାତୀ ଛୁଆ ହୋଇଥିବା ସନ୍ଦେହ କରାଯାଉଛି।
ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି କହିଛନ୍ତି, ଘଟଣାସ୍ଥଳର ପରିସ୍ଥିତି ଦେଖି ଲାଗୁଛି ଯେ ମୃତ ହାତୀର ଅବଶିଷ୍ଟାଂଶକୁ କଲରାପତରିଆ ବାଘ ଏବଂ ଅନ୍ୟ ହିଂସ୍ର ଜନ୍ତୁ ଖାଇଥାଇପାରନ୍ତି। ତେବେ ପ୍ରକୃତ ମୃତ୍ୟୁ କାରଣ ଫୋରେନସିକ୍ ଓ ପଶୁ ବୈଜ୍ଞାନିକ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।
ଉଲ୍ଲେଖଯୋଗ୍ୟ, ଏହି ଅଞ୍ଚଳରେ ଗତ କିଛି ମାସ ମଧ୍ୟରେ ଏକାଧିକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଗତ ମାସରେ ଏହି ରେଞ୍ଜରେ ଜଣେ ୧୧ ବର୍ଷୀୟ ଅଣ୍ଡିରା ହାତୀର ମୃତ୍ୟୁ ହୋଇଥିବା ବେଳେ ମାର୍ଚ୍ଚ ମାସରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ ରେକର୍ଡ ହୋଇଥିଲା। ଲଗାତାର ହାତୀ ମୃତ୍ୟୁ ଘଟଣା ବନ୍ୟଜନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।




