ଭୁବନେଶ୍ୱର/କଟକ: ଆସନ୍ତା ଜୁନ୍ ୨୯ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପ୍ରଥମ ପର୍ବ ଭାବେ ପରିଚିତ ଏହି ଉତ୍ସବକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ଏଥର ମୋଟ ୭୨ ପ୍ଲାଟୁନ୍ ପୁଲିସ ବଳ ମୁତୟନ କରାଯିବ।
ରାଜ୍ୟ ପୁଲିସ ମୁଖ୍ୟାଳୟ, କଟକରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ, ଯାତାୟାତ ଓ ସୁରକ୍ଷା ସମନ୍ୱୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ସୁରକ୍ଷା ପରିଚାଳନା ପାଇଁ ବରିଷ୍ଠ ଅଧିକାରୀ ସ୍ତରରେ ୬ ଜଣ ଏସ୍ପି/କମାଣ୍ଡେଣ୍ଟ, ୧୭ ଜଣ ଅତିରିକ୍ତ ଏସ୍ପି, ୪୨ ଜଣ ଡିଏସ୍ପି ଏବଂ ୯୪ ଜଣ ଇନ୍ସପେକ୍ଟର ଦାୟିତ୍ୱ ନେବେ। ସେହିପରି ୩୫୨ ଜଣ ଏସ୍ଆଇ/ଏଏସ୍ଆଇ, ୫୩ ଜଣ ହାବିଲଦାର ଓ ୪୨୮ ଜଣ କନଷ୍ଟେବଳ ମଧ୍ୟ ନିୟୋଜିତ ହେବେ।
ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗତିବିଧିକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ସ୍ୱତନ୍ତ୍ର ଓ ସୁଦୃଢ଼ ବାରିକେଡ୍ ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଶ୍ରଦ୍ଧାଳୁମାନେ ଧାଡ଼ିବଦ୍ଧ ଭାବେ ସହଜରେ ଦର୍ଶନ କରିପାରିବେ।
ଶ୍ରୀମନ୍ଦିର ପରିସର, ବାରିକେଡ୍ ଏବଂ ଚାରିପାଖରେ ଅତ୍ୟାଧୁନିକ ସିସିଟିଭି ନଜରଦାରି ବ୍ୟବସ୍ଥା ରହିବ। ଜରୁରୀକାଳୀନ ସ୍ଥିତି ପାଇଁ ସ୍ୱତନ୍ତ୍ର କ୍ରାକ୍ ଟିମ୍, ପକେଟମାର୍ ଓ ଚେନ୍ ଲୁଟେରାଙ୍କୁ ରୋକିବା ପାଇଁ ଆଣ୍ଟି ସ୍ନାଚିଂ ସ୍କ୍ୱାଡ୍ ଏବଂ ଆକସ୍ମିକ ପରିସ୍ଥିତି ପାଇଁ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ସଦା ପ୍ରସ୍ତୁତ ରହିବ।
ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସ୍ନାନଯାତ୍ରାରୁ ଆରମ୍ଭ କରି ଆଗାମୀ ରଥଯାତ୍ରା ପର୍ଯ୍ୟନ୍ତ ସମସ୍ତ ପର୍ବ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ତୃଣମୂଳ ସ୍ତରରେ ସମନ୍ୱିତ ପଦକ୍ଷେପ ନିଆଯାଇଛି।




