ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗଣପର୍ବ ରଜର ଉତ୍ସାହ ଓ ଉଦ୍ଦୀପନା। ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡା ସବୁଠି ଏବେ ରଜ ଦୋଳି, ସଜବାଜ ଓ ପିଠାପଣାର ମହକ। ଆଧୁନିକତାର ଚାକଚକ୍ୟ ଭିତରେ ବି ସହରୀ ଜୀବନରୁ ହଜିଯାଇନି ଆମର ଏହି ପାରମ୍ପରିକ ଗଣପର୍ବ। ଗ୍ରାମୀଣ ପରିବେଶ ଭଳି ସହରର ବ୍ୟସ୍ତବହୁଳ ଜୀବନ ଭିତରେ ମଧ୍ୟ ବେଶ୍ ଧୂମଧାମରେ ଜମୁଛି ରଜ ଉତ୍ସବ।
ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ହୋଟେଲ ପାଲ ହାଇଟ୍ସ (Hotel Pal Heights) ଠାରେ ଫିକି (FICCI) ର ମହିଳା ଶାଖା ‘ଇନୱେକ୍’ (INWEC) ପକ୍ଷରୁ ଆୟୋଜିତ ହୋଇଛି ତିନିଦିନିଆ ସ୍ପେଶାଲ ମେଗା ଇଭେଣ୍ଟ ‘ଆଇଏନ୍ଡବ୍ଲୁଇସି ରଜ ମଉଜ-୨୦୨୬’ (INWEC Raja Mauja 2026)। ଜୁନ୍ ୧୨ରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପରମ୍ପରା, ସଂସ୍କୃତି ଓ ଆଧୁନିକତାର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଛି।
ରଜ ପର୍ବରେ ପିଠାପଣାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ବିଶେଷ କରି ଓଡ଼ିଶାର ପାରମ୍ପରିକ ‘ପୋଡ଼ ପିଠା’ ବିନା ରଜ ଉତ୍ସବ ଅଧୁରା। ଆଜିକାଲିର ଫାଷ୍ଟଫୁଡ୍ ସଂସ୍କୃତି ଭିତରେ ମଧ୍ୟ ପୋଡ଼ ପିଠାର କ୍ରେଜ୍ ଆଦୌ କମିନାହିଁ, ବରଂ ଏହାର ଚାହିଦା ସବୁଠୁ ବେଶୀ ଦେଖିବାକୁ ମିଳୁଛି।‘ରଜ ମଉଜ’ ଉତ୍ସବରେ ଓଡ଼ିଆ ଘରର ଏହି ସ୍ୱାଦିଷ୍ଟ ପୋଡ଼ ପିଠାର ବେଶ୍ ଆସର ଜମିଛି।
ଏଠାରେ ବିଭିନ୍ନ ପ୍ରକାରର ପାରମ୍ପରିକ ରଜ ପିଠା ଓ ମିଠାର ପ୍ରଦର୍ଶନୀ ସହ ସ୍ୱତନ୍ତ୍ର ଫୁଡ୍ ୱର୍କଶପ୍ ମଧ୍ୟ ଆୟୋଜନ କରାଯାଇଛି, ଯାହା ସହରବାସୀଙ୍କୁ ଗାଁର ସେହି ଆଦି ସ୍ୱାଦର ଅନୁଭୂତି ଦେଉଛି।‘ରଜ ମଉଜ’ରେ ଆକର୍ଷଣର କେନ୍ଦ୍ରବିନ୍ଦୁଜୁନ୍ ୧୨ରୁ ୧୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମରେ ପିଠାପଣା ବ୍ୟତୀତ ଅନେକ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ (Handloom) ବସ୍ତ୍ରକୁ ନେଇ ସ୍ୱତନ୍ତ୍ର ଫ୍ୟାଶନ ଶୋ’ ଏବଂ ମେହେନ୍ଦୀ ଓ ରଜ ସଜବାଜର ୱର୍କଶପ୍। ଝୋଟି ଚିତା, ପଟ୍ଟଚିତ୍ର ଏବଂ ସୌରା ଚିତ୍ରକଳାର କର୍ମଶାଳା ସହ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ (ଗୋଟିପୁଅ, ଛଉ ଓ ସମ୍ବଲପୁରୀ) ର ପ୍ରଦର୍ଶନ।ଓଲିଉଡର ନାମୀଦାମୀ କଳାକାରଙ୍କ ଉପସ୍ଥିତି, ସଙ୍ଗୀତ ଆସର, କମେଡି ଶୋ ଏବଂ ଓଡ଼ିଆ ଚଳଚ୍ଚିତ୍ରର ପ୍ରମୋସନ।ହୋଟେଲ ପାଲ ହାଇଟ୍ସର ଏହି ଉତ୍ସବମୁଖର ପରିବେଶ ପ୍ରମାଣିତ କରୁଛି ଯେ, ସମୟ ବଦଳିଲେ ବି ଓଡ଼ିଆ ଜୀବନଶୈଳୀରେ ନିଜ ସଂସ୍କୃତି ଏବଂ ରଜ ପର୍ବର ମହତ୍ତ୍ୱ ଆଜି ବି ସେଭଳି ଅକ୍ଷୁଣ୍ଣ ରହିଛି।




