ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ଦାନବାକ୍ସରୁ ଅର୍ଥ ଚୋରି ଓ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତକୁ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତ ଟିମ୍ (SIT) ଜୋରଦାର କରିଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନୁରୋଧ କ୍ରମେ ଗଠିତ ଏହି ତିନି ଜଣିଆ ଉଚ୍ଚସ୍ତରୀୟ ଟିମ୍ ଗତକାଲି ଅପରାହ୍ନ ୨:୫୦ ରୁ ବିଳମ୍ବିତ ରାତି ୧୦:୩୦ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଏକ ମାରାଥନ ଯାଞ୍ଚ କରିଛନ୍ତି।
SIT ସଦସ୍ୟମାନେ ସମସ୍ତ ଦାନବାକ୍ସର ସିସିଟିଭି ଫୁଟେଜ୍, ନଗଦ ଟଙ୍କା ବାହାର କରିବା ଏବଂ ଗଣତି ପ୍ରକ୍ରିୟାର ତୀକ୍ଷ୍ଣ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ପାଇଁ ଅଧିକାରୀମାନେ ୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତର ସମସ୍ତ ଆର୍ଥିକ ଦଲିଲ୍ ଯାଞ୍ଚ କରୁଛନ୍ତି। ସୂତ୍ର ଅନୁସାରେ, ଯାଞ୍ଚ ବେଳେ ଅନେକ ଅନିୟମିତତା ସାମ୍ନାକୁ ଆସିବା ପରେ SIT ଅସନ୍ତୋଷ ପ୍ରକାଶ କରିଛି।
ଅଦ୍ୟାବଧି ଏହି ମାମଲାରେ କାହାକୁ ଗିରଫ କରାଯାଇ ନଥିଲେ ମଧ୍ୟ ତଦନ୍ତକାରୀ ଦଳ ଟ୍ରଷ୍ଟର କର୍ମକର୍ତ୍ତା, ବ୍ୟାଙ୍କ କର୍ମଚାରୀ ଏବଂ ବହୁ ସଂଖ୍ୟକ ସେବାଦାରଙ୍କ ସମେତ ପ୍ରାୟ ୪୨ ଜଣଙ୍କୁ ପଚରାଉଚରା କରିଛନ୍ତି। ଏପରିକି ଟ୍ରଷ୍ଟର ଜଣେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଛି।
ଏହି ହାଇ-ପ୍ରୋଫାଇଲ୍ SIT ର ନେତୃତ୍ୱ ନେଉଛନ୍ତି: ବିଜୟ ବିଶ୍ୱାସ ପନ୍ତ (୨୦୦୪ ବ୍ୟାଚ୍ IAS, ଲକ୍ଷ୍ନୌ ବିଭାଗୀୟ କମିଶନର), କିରଣ ଏସ୍. (୨୦୦୮ ବ୍ୟାଚ୍ IPS, ଲକ୍ଷ୍ନୌ ରେଞ୍ଜ IG), ନୀଲରତନ କୁମାର (ଅର୍ଥ ବିଭାଗର ବିଶେଷ ସଚିବ)କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ଥିବା ଏହି ଭବ୍ୟ ମନ୍ଦିରର ଦାନ ଅର୍ଥ ହେରଫେର ଅଭିଯୋଗ ସାରା ଦେଶରେ ଚିନ୍ତା ବଢ଼ାଇଛି। ମନ୍ଦିରର ଭାବମୂର୍ତ୍ତି ସୁରକ୍ଷିତ ରଖିବା ପାଇଁ ଟ୍ରଷ୍ଟ ନିଜେ ଏକ ଆଭ୍ୟନ୍ତରୀଣ ଅଡିଟ୍ ମଧ୍ୟ ଆରମ୍ଭ କରିଛି। ମାମଲାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ SIT ଅଯୋଧ୍ୟାରେ ଡେରା ପକାଇ ଆଜି ପୁନର୍ବାର ଯାଞ୍ଚ ଓ ଜେରା ପ୍ରକ୍ରିୟା ଜାରି ରଖିବ।




